ରାମ ଗୋପାଳ ବର୍ମା: ସାଉଥ୍‌ ଷ୍ଟାରଙ୍କୁ ଇର୍ଷା କରୁଛନ୍ତି ନର୍ଥ ଷ୍ଟାର

2 min read

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ତାରକା କିଚ୍ଚା ସୁଦୀପ୍‌ ଏବଂ ଉତ୍ତର ଭାରତୀୟ ତାରକା ଅଜୟ ଦେବଗନଙ୍କ ମଧ୍ୟରେ ହିନ୍ଦୀ ଜାତୀୟ ଭାଷାକୁ ନେଇ ଶୀତଳ ଯୁଦ୍ଧ ଚାଲିଥିବାବେଳେ ନିଜକୁ ନିଜେ ଏହି ବିବାଦ ମଧ୍ୟରେ ପ୍ରବେଶ କରିଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ଏହି ମାମଲାରେ ପ୍ରତିକ୍ରିୟା ଦେଇ ରାମ ଗୋପାଳ କହିଛନ୍ତିଯେ,  ଉତ୍ତର ଭାରତୀୟ ତାରକା ଦକ୍ଷିଣ ଭାରତୀୟ ତାରକାଙ୍କୁ ଜଳୁଛନ୍ତି, ଅର୍ଥାତ୍‌ ଇର୍ଷା କରୁଛନ୍ତି । ଏହି ମଧ୍ୟରେ ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ରନ୍‌ ଓ୍ୱେ’କୁ ଟାର୍ଗେଟ୍‌ କରିଛନ୍ତି ରାମ ଗୋପାଳ । ସୂଚନାଯୋଗ୍ୟ, ରାମ ଗୋପାଳ ବର୍ମା ଅଧିକାଂଶ ସମୟରେ  ଫିଲ୍ମ ଦୁନିଆ ଏବଂ ଏହାକୁ ନେଇ ଘଟୁଥିବା ଘଟଣା ଉପରେ ନିଜର ମତ ରଖିଥାନ୍ତି ।

ନିକଟରେ କିଚ୍ଚା ସୁଦୀପ୍‌ ଏବଂ ଅଜୟ ଦେବଗନଙ୍କ ମଧ୍ୟରେ ହିନ୍ଦୀ ଜାତୀୟ ଭାଷାକୁ ନେଇ ବିବାଦ ଚାଲିଥିବାବେଳେ ରାମ ଗୋପାଳ ଟ୍ୱିଟ ମାଧ୍ୟମରେ ଲେଖିଛନ୍ତିଯେ, ନର୍ଥ ଷ୍ଟାର ସାଉଥ୍‌ ଷ୍ଟାରଙ୍କୁ ଇର୍ଷା କରୁଛନ୍ତି । କାରଣ ଏକ କନ୍ନଡ଼ ଡବିଂ ଫିଲ୍ମ ଗୋଟିଏ ଦିନରେ ୫୦ କୋଟିର ଓପନିଂ କରିଛି । ତାହା ହେଉଛି KGF 2  । ଏବେ ଆମେ ସମସ୍ତ ହିନ୍ଦୀ ଫିଲ୍ମର ଓପନିଂ ଦେଖିବୁ । ରନ୍‌ ଓ୍ୱେ ପ୍ରମାଣିତ କରିବ କିଏ କେତେ ଭଲ ପ୍ରଦର୍ଶନ କରୁଛି ।

ଅନ୍ୟ ଏକ ଟ୍ୱିଟରେ ରାମ ଗୋପାଳ କହିଛନ୍ତିଯେ, ଭାରତ ଗୋଟିଏ । ଯଦି କେହି ମଧ୍ୟ ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତର ଭେଦଭାବ ନରଖନ୍ତେ ତେବେ ଭଲ ହୁଅନ୍ତା ।

ସୂଚନାଯୋଗ୍ୟ ଏକ ଇଭେଣ୍ଟରୁ ଆରମ୍ଭ ହେଲା ମାମଲା । ଯେଉଁଠାରେ କିଚ୍ଚା କହିଥିଲେ ହିନ୍ଦୀ ଏବେ ରାଷ୍ଟ୍ରୀୟ ଭାଷା ହୋଇ ନାହିଁ । ସେମାନେ ତେଲୁଗୁ ତାମିଲରୁ ଫିଲ୍ମ ଡବ୍‌ କରୁଛନ୍ତି, କିନ୍ତୁ ହୋଇପାରୁନାହିଁ । ଆମେ କିନ୍ତୁ ଏଭଳି ଫିଲ୍ମ ନିର୍ମାଣ କରୁଛୁ ଯାହାକୁ ପ୍ରତ୍ୟେକ ସ୍ଥାନରେ ଦେଖାଯାଉଛି ।  ଏହି କଥା କିନ୍ତୁ ଅଜୟଙ୍କୁ ପସନ୍ଦ ଆସିଲା ନାହିଁ । ସେ କହିଲେ ଯଦି ହିନ୍ଦୀ ରାଷ୍ଟ୍ର ଭାଷା ନୁହେଁ ତେବେ କାହିଁକି ଫିଲ୍ମକୁ ଡବ୍‌ କରି ହିନ୍ଦୀ ଭାଷାରେ ରିଲିଜ୍‌ କରୁଛ ?  ହିନ୍ଦୀ ଆମର ମାତୃଭାଷା ଏବଂ ରାଷ୍ଟ୍ରୀୟ ଭାଷା ଥିଲା, ଅଛି ଏବଂ ରହିବ । କିଚ୍ଚା ପ୍ରତ୍ତ୍ୟତରରେ ଲେଖିଲେ, ମୁଁ ଯେଉଁ ଉଦ୍ଦେଶ୍ୟରେ କହିଲି ଆପଣ ବୁଝିପାରିଲେ ନାହିଁ । ବ୍ୟକ୍ତିଗତ ଭାବରେ ସାକ୍ଷାତ ହେଲେ କହିବି ଏଭଳି କଥା କାହିଁକି କହିଥିଲି ।  ମୁଁ ଏବେ ଏହି ବିଷୟରେ ପୂର୍ଣ୍ଣଛେଦ ପକାଉଛି ।