ଅକ୍ଷୟ, ଅଜୟଙ୍କୁ ରାମ ଗୋପାଲ ବର୍ମାଙ୍କ ଚ୍ୟାଲେଞ୍ଜ୍‌

ମୁମ୍ବାଇ: ଅଜୟ ଦେବଗନ ଏବଂ ସାଉଥ୍‌ ସୁପରଷ୍ଟାର କିଚ୍ଚା ସୁଦୀପଙ୍କ ମଧ୍ୟରେ ଟ୍ୱିଟରରେ ହିନ୍ଦୀ  ଭାଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଖୁବ୍‌ ଯୁକ୍ତିତର୍କ ହେଉଛି । କିଛି ଲୋକ ଏହାକୁ ସମର୍ଥନ କରୁଛନ୍ତି ତ କିଛି ଲୋକ ବିରୋଧ କରୁଥିବାର ଦେଖିବାକୁ ମିଳିଛି । ଏହି ମଧ୍ୟରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା କିଚ୍ଚା ସୁଦୀପଙ୍କୁ ସମର୍ଥନ କରୁଥିବାର ନଜର ଆସିଛି । ଦକ୍ଷିଣ ଭାରତୀୟ ଫିଲ୍ମକୁ ନେଇ କେବଳ ସିଙ୍ଘମ ଷ୍ଟାର ଅଜୟ ଦେବଗନ ନୁହଁନ୍ତି ବରଂ ଖିଲାଡି ଅକ୍ଷୟ କୁମାର, ରଣବୀର ସିଂ, ରଣବୀର କପୂର ଏବଂ ଜନ୍‌ ଆବ୍ରାହିମଙ୍କୁ ଚ୍ୟାଲେଞ୍ଜ୍‌ ଦେଇଛନ୍ତି ।

 

 ସୂଚନାଯୋଗ୍ୟ ଏକ ଇଭେଣ୍ଟରେ ଅଜୟ ଦେବଗନ ହିନ୍ଦୀକୁ ଜାତୀୟ ଭାଷା କହିବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ଯାହାକୁ ନେଇ ନିଜର ମତ ରଖିଥିଲେ କିଚ୍ଚା ସୁଦୀପ । ଟ୍ୱିଟରରେ ଉଭୟଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା । କିନ୍ତୁ ଅଜୟ ଦେବଗନ କିଚ୍ଚାଙ୍କ କହିବାର ଅର୍ଥ ବୁଝିପାରିନଥିଲେ ଏବଂ ଦେଖାହେଲେ ବୁଝାଇ ଦେବେ ବୋଲି କିଚ୍ଚା ଟ୍ୱିଟରରେ ଲେଖିଥିଲେ । ଅନ୍ୟପଟେ ଏହି କଥା ରାମ ଗୋପାଳଙ୍କର ହଜମ ହୋଇନଥିଲା ।  ଉଭୟଙ୍କ ଶୀତଳ ଯୁଦ୍ଧରେ ଆପେ ଆପେ ପ୍ରବେଶ କରିଥିଲେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ସେ କହିଥିଲେଯେ, ଉତ୍ତର ଭାରତୀୟ ତାରକା ଦକ୍ଷିଣ ଭାରତୀୟ ତାରକାଙ୍କୁ ଇର୍ଷା କରୁଛନ୍ତି । ନିକଟରେ ସେ ଅକ୍ଷୟ କୁମାର, ରଣବୀର କପୂର, ରଣବୀର ସିଂ ଏବଂ ଜନ୍‌ ଆବ୍ରାହିମଙ୍କୁ ଚ୍ୟାଲେଞ୍ଜ୍‌ ଦେଇଛନ୍ତି ।

ରାମଗୋପାଳ ଏକ ଟ୍ୱିଟ୍‌ କରି ଲେଖିଛନ୍ତିଯେ, ଅକ୍ଷୟ କୁମାର, ରଣବୀର ସିଂ, ରଣବୀର କପୂର ଏବଂ ଜନ୍‌ ଆବ୍ରାହିମଙ୍କ ଭଳି ଅନ୍ୟ ତାରକା ମାନଙ୍କୁ କହିବାକୁ ଚାହୁଁଛିଯେ, ହିନ୍ଦୀ ଫିଲ୍ମକୁ ତେଲୁଗୁ ଏବଂ କନ୍ନଡ଼ ଭଳି ଭାଷାରେ ଡବ୍‌ କରିବା ଆବଶ୍ୟକ । ଏହା ସହିତ ପ୍ରଭାସ, ରାମ ଚରଣ, ଅଲ୍ଲୁ ଅର୍ଜୁନ ଏବଂ ୟଶଙ୍କ ଫିଲ୍ମ ଭଳି ସେଠାରେ କଲେକ୍ସନ୍‌ କରି ଦେଖାନ୍ତୁ । କେବଳ ସେତିକି ନୁହେଁ ବରଂ ସେ ଏହା ମଧ୍ୟ ଲେଖିଛନ୍ତିଯେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁଯେ, ପ୍ରଭାସ,ୟଶ୍‌,ଅଲ୍ଲୁ ଅର୍ଜୁନ ଏବଂ ରାମଚରଣ ବଲିଉଡକୁ ଯାଇ ହିନ୍ଦୀ ତାରକାଙ୍କୁ ଲଜ୍ଜିତ କରିଛନ୍ତି ।

ଅନ୍ୟପଟେ ରାମ ଗୋପାଳ ବଲିଉଡର ତିନି ଖାନଙ୍କ ମଧ୍ୟରୁ କାହାର ମଧ୍ୟ ନାଁ ନେଇନଥିବାରୁ ତାହାକୁ ନେଇ ଅନେକ ଆଲୋଚନା କରୁଛନ୍ତି ।