ଡ୍ରଗସ ରାକେଟ ଗୁମର: ଟଲିଉଡ ଅଭିନେତା ଓ ନିର୍ଦ୍ଦେଶକଙ୍କୁ EDର ସମନ

ନୂଆଦିଲ୍ଲୀ:  ବହୁଚର୍ଚ୍ଚିତ ଡ୍ରଗସ ରାକେଟ ପ୍ରସଙ୍ଗରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ସମେତ 12 ଟଲିଉଡ ଅଭିନେତା ଓ ନିର୍ଦ୍ଦେଶକଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ରାଣା ଦଗୁବତି, ରବି ତେଜା, ପୁରୀ ଜଗନ୍ନାଥ , ଚାର୍ମେ କୌର, ମୁମଥ ଖାଁ ପ୍ରମୁଖ । 4 ବର୍ଷ ତଳର ଏହି ନିଶା ରାକେଟ ମାମଲାରେ ଆସନ୍ତା 31 ତାରିଖରେ ହାଜର ହେବାକୁ ପୁରୀ ଜଗନ୍ନାଥଙ୍କୁ ସମନ ଜାରି କରାଯାଇଥିବା ବେଳେ, ରକୁଲ ପ୍ରୀତଙ୍କୁ ସେପ୍ଟେମ୍ବର 6ରେ ହାଜର ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟମାନଙ୍କୁ ସେପ୍ଟେମ୍ବର 8 ଓ 9 ତାରିଖରେ ହାଜର ହେବାକୁ ଇଡି ନିର୍ଦ୍ଦେଶ ଦେଇଛି । ଗତ 2017ରେ ଏକ ହାଇପ୍ରୋଫାଇଲ ଡ୍ରଗ୍ସ ରାକେଟ ପ୍ରସଙ୍ଗରେ ଏହି 12 ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକଙ୍କୁ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଜେରା କରିଥିଲା । ଡ୍ରଗ୍ସ ରାକେଟ ମାମଲାରେ ଗତ ଜୁଲାଇ 2017ରେ ହାଇଦ୍ରାବାଦ ଅବକାରୀ ବିଭାଗର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଏହି 12ଜଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିଥିଲା । ଏହି ମାମଲାରେ ଏସଆଇଟି 62 ଜଣ ସନ୍ଦିଗ୍ଧଙ୍କ କେଶ ଓ ନଖ ନମୁନା ସଂଗ୍ରହ କରିଥିଲା ।

ତେବେ ବର୍ତ୍ତମାନ ସୁଦ୍ଧା ଏହାର ଚାର୍ଜସିଟ ଦାଖଲ କରିନି ଏସଆଇଟି । 2017 ଅଗଷ୍ଟରେ ମୁମ୍ବାଇରୁ ହାଇଦ୍ରାବାଦକୁ କୋକେନ ଯୋଗାଣ ଅଭିଯୋଗରେ ଦକ୍ଷିଣ ଆଫ୍ରିକାର ଜଣେ ନାଗରିକ ରାଫେଲ ଆଲେକ୍ସ ଭିକ୍ଟରଙ୍କୁ ପୋଲିସ ଗିରଫ କରିଥିଲା ।

Leave a Reply