ହୋଟେଲରେ ରାତି ବିତାଇବା ପରେ ଝରାଫୁଲର ହୋଇଥିଲା ମୃତ୍ୟୁ…

ଭୁବନେଶ୍ୱର: ଅଭିଯୁକ୍ତ ରାକେଶ ଖୋଲୁଛି ଆର୍‌ଡି ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ। ପୋଲିସ ହତ୍ୟାକାଣ୍ଡର କାରଣ ନେଇ କିଛି କହୁ ନ ଥିଲେ ମଧ୍ୟ ରାକେଶ ନିଜେ ଏ ସଂପର୍କରେ ପୁଲିସ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଥିବା ଜଣାପଡ଼ିଛି। ରା‌କେଶ ଜଣେ ପାଇପ୍ ମିସ୍ତ୍ରି ହୋଇଥିବାବେଳେ ମୟୂରଭଞ୍ଜ ଯଶିପୁରର ଝରାଫୁଲଙ୍କ ଗାଁରେ ଭୂତଳ ପାଇପ୍ ବିଛା କାମରେ ନିୟୋଜିତ ଥିଲା। ସେହିଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ଝରାଫୁଲ ଯେତେବେଳେ ବି ଭୁବନେଶ୍ୱର ଆସୁଥିଲେ, ରାକେଶ ତାହା ଜାଣୁଥିଲା ଏବଂ ଉଭୟ ଏଠାରେ ଖୁଲମଖୁଲା ମିଳାମିଶା କରୁଥିଲେ।

ରା‌କେଶ କହିବା ଅନୁଯାୟୀ, ୨୬ ତାରିଖ ସକାଳେ ଝରାଫୁଲ ଯଶିପୁର ଯିବା ଲାଗି ଜୟଦେବବିହାରରୁ ଝାଡ଼େଶ୍ୱର ବସ୍‌ରେ ଚଢ଼ିବା ପରେ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ। ସେଠାରୁ ଚାଲିଚାଲି ରୁପାଲି ଛକ ଯାଏଁ ଯାଇଥିଲେ। ସେଠାରେ ଅପେକ୍ଷା କରିଥିବା ରାକେଶ ତାଙ୍କୁ ସ୍କୁଟରରେ ବସାଇ ରାଜଧାନୀର ଏକ ହୋଟେଲକୁ ନେଇ ଯାଇଥିଲା। ଦୁହେଁ ହୋଟେଲରେ ରାତି ବିତାଇବା ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ତେବେ ସକାଳେ ଝରାଫୁଲକୁ ଅଚେତ ଅବସ୍ଥାରେ ପାଇ ରାକେଶର ମୁଣ୍ଡ କାମ କରି ନ ଥିଲା। ତେଣୁ ସେ ତା’ର ବନ୍ଧୁ ଶେଖରକୁ ଡାକିଥିଲା। ଶେଖର ଓ ସେ ଝରାଫୁଲକୁ ମଝିରେ ବସାଇ ଏନ୍‌ଏଚ୍‌ରେ କିଛିବାଟ ଗଲା ପରେ ଝରାଫୁଲର ମୃତ୍ୟୁ ହୋଇଯାଇଥିବା ଜାଣିପାରି ଭୟରେ ମୃତଦେହକୁ କୁଆଖିଆ ନିକଟରେ ଫିଙ୍ଗିଦେଇ ପଳାଇ ଆସିଥିଲେ।

ରାକେଶର ଏହି ବୟାନ କେତେ ସତ, କେତେ ମିଛ ତାହା ଜାଣିବା ଲାଗି କୁଆଖିଆ ପୁଲିସ ରାକେଶକୁ ଏଆରଫିଲ୍‌ଡ ଥାନାରେ କିଛି ସମୟ ଜେରା କରିବା ପରେ ଅଧିକ ପଚରାଉଚରା ପାଇଁ ସାଙ୍ଗରେ ନେଇଯାଇଛି। ଏଥିସହ ତା’ର ଅନ୍ୟତମ ସାଥୀ ଶେଖରକୁ ଧରିବା ଲାଗି ତନାଘନା‌ ଜାରି ରଖିଛି।

Leave a Reply