ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

Parliament

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ଏନଡିଏ ପକ୍ଷରୁ ଜେଡିୟୁ ସାସଂଦ ହରିବଂଶ ନାରାୟଣ ପୁଣି ଥରେ ପ୍ରାର୍ଥୀ ହୋଇଥିବା ବେଳେ, ଆରଜେଡି ପକ୍ଷରୁ ମନୋଜ ଝା ପ୍ରାର୍ଥୀ ହୋଇଛନ୍ତି । ଉଭୟ ନେତା ବିହାରର ହୋଇଥିବା ବେଳେ ଏବେ ଉପସଭାପତି ରେସ୍ ଜୋର ଧରିଛି । ରାଜ୍ୟସଭାରେ ୨୪୫ ସଦସ୍ୟ ଥିବା ବେଳେ ଉପସଭାପତି ଚୟନ ପାଇଁ ୧୨୩ଟି ଭୋଟ ଆବଶ୍ୟକତା ରହିଛି ।

Harivansh_Narayan_Singh

ତେବେ ଏନଡିଏ ପ୍ରାର୍ଥୀ ହରିବଂଶଙ୍କ ପାଖରେ ୧୧୬ ପ୍ରାର୍ଥୀଙ୍କ ସମର୍ଥନ ରହିଛି । ଏନଡିଏ ପକ୍ଷରୁ ଟିଆରଏସର ୭, ୱାଇଏସଆରର ୬ ଏବଂ ବିଜେଡିର ୯ ପ୍ରାର୍ଥୀଙ୍କ ସମର୍ଥନ ଲୋଡାଯାଇଛି । ଅନ୍ୟପଟେ ବିପକ୍ଷରେ ଥିବା ଆରଜେଡି ସାଂସଦ ମନୋଜଙ୍କ ସପକ୍ଷରେ ଅଛନ୍ତି ୧୨ରୁ ଅଧିକ ରାଜନୈତିକ ଦଳ । ଯାହା ମଧ୍ୟରେ କଂଗ୍ରେସର ୪୦, ବାମପନ୍ଥୀ ଦଳର ୬, ଡିଏମକେର ୭, ଶିବସେନାର ୩, ଏନସିପିର ୪ ସଦସ୍ୟ ଅଛନ୍ତି । ସେହିପରି ସମାଜବାଦୀ ପାର୍ଟି, ଟିଏମସି, ପିଡିପି, ନ୍ୟାସନାଲ କନଫରେନ୍ସ ଭଳି ଦଳ ଗୁଡିକର ସମର୍ଥନ ହାତେଇବାକୁ ଚେଷ୍ଟା କରୁଛନ୍ତି ମନୋଜ ଝା ।

Manoj-Jha

ଅନ୍ୟପଟେ ବିଜେଡି କାହାକୁ ସମର୍ଥନ କରିବ ସ୍ପଷ୍ଟ କରିନଥିବା ବେଳେ, ସମସ୍ତ ସାଂସଦ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ହ୍ୱିପ୍‌ ଜାରି କରାଯାଇଛି । ରାଜ୍ୟସଭା ଉପସଭାପତି ନିର୍ବାଚନ ଏକ ସାମ୍ବିଧାନିକ ପଦବୀ ହୋଇଥିବା ବେଳେ, ଜଣେ ରାଜ୍ୟସଭା ସାଂସଦ ହିଁ ଏହି ପଦବୀ ପାଇଁ ନିର୍ବାଚିତ ହୋଇଥାନ୍ତି । ୯ ଅପ୍ରେଲରେ ହରିବଂଶ ନାରାୟଣଙ୍କ କାର୍ଯ୍ୟକାଳ ସରିଯାଇଥିବା ବେଳେ, ଏବେ ମୁହାଁମୁହିଁ ହେବେ ଦୁଇ ବିହାରୀ ସାସଂଦ ହରିବଂଶ ସିଂ ଓ ମନୋଜ ଝା । ୧୯୬୯ରେ ପ୍ରଥମଥର ରାଜ୍ୟସଭା ଉପସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ, ଏହା ୨୦ତମ ଉପସଭାପତି ନିର୍ବାଚନ । ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଗୃହର ପରିଚାଳନା କରିଥାନ୍ତି । ତେବେ ତାଙ୍କ ଅନୁପସ୍ଥିତିରେ ଗୃହର କାର୍ଯ୍ୟଭାର ଉପସଭାପତିଙ୍କ ହାତରେ ଥାଏ ।

Leave a Reply