ରାଜ୍ୟସଭା ସସପେନ୍ସ । ଚତୁର୍ଥ ପ୍ରାର୍ଥୀଙ୍କୁ ନେଇ କଳ୍ପନାଜଳ୍ପନା । ଆଇନମନ୍ତ୍ରୀଙ୍କୁ ଭେଟିଲେ ଦିଲୀପ ରାୟ । ବିଜେଡି କହିଲା ନବୀନ ନେବେ ନିଷ୍ପତ୍ତି । ରାଜ୍ୟସଭା ଯିବେ କି ଦିଲୀପ ରାୟ ? ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଦିଲୀପ ରାୟ ଭେଟିବା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ପୃଥ୍ଵୀରାଜ ହରିଚନ୍ଦନଙଅକ ସରକାରୀ ବାସଭବନରେ ଉଭୟଙ୍କ ମଧ୍ୟରେ ଅଧ ଘଣ୍ଟ ଆଲୋଚନା ହୋଇଥିଲା। ସେ ସଂପର୍କରେ ଦିଲୀପ ରାୟ ମୁହଁ ଖୋଲି ନଥିବା ବେଳେ ଆଇନମନ୍ତ୍ରୀ ମଧ୍ୟ ରାଜ୍ୟସଭା ନିର୍ବାଚନ ନେଇ ସିଧାସଳଖ କିଛି ସୂଚନା ଦେଇ ନାହାନ୍ତି। କହିଛନ୍ତି ଦିଲୀପ ରାୟଙ୍କ ସହିତ ପାରିବାରିକ ସମ୍ପର୍କ ଅଛି। ବାପା ବିଶ୍ଵଭୂଷଣ ହରିଚନ୍ଦନ ମୋ ସହିତ ଅଛନ୍ତି। ଦିଲୀପ ରାୟ ତାଙ୍କୁ ମଧ୍ୟ ଭେଟିଛନ୍ତି। ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦିଲୀପ ରାୟଙ୍କ ନାଁକୁ ନେଇ ପୁଣି ଥରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।
ଓଡ଼ିଶାର ୪ଟି ରାଜ୍ୟସଭା ଆସନ ଖାଲି ପଡ଼ିବ। ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ବିଜେପି ୨ଟି ଓ ବିଜେଡି ଗୋଟିଏ ଆସନ ହାତେଇବା ନିଶ୍ଚିତ। ବାକି ରହିଲା ଚତୁର୍ଥ ଆସନ। ଏହି ଆସନ କାହା ଖାତାକୁ ଯିବ। ଏହି ଆସନରୁ କିଏ ପ୍ରାର୍ଥୀ ହେବ। ତାକୁ ନେଇ ଅନେକ ଅଙ୍କକଷା। ରାଜ୍ୟସଭା ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ ଚତୁର୍ଥ ଆସନକୁ ନେଇ ଅନେକ କଳ୍ପନାଜଳ୍ପନା। ବିଜେଡି କହିଛି, ୪ଟି ଆସନରୁ ତ ଆମେ ଗୋଟିଏ ଜିତିବୁ। ଆଉ ଏକ ଆସନ ପାଇଁ କଣ ନିଷ୍ପତ୍ତି ନିଆଯିବ, ତାହା ଆଲୋଚନା ସ୍ତରରେ ଅଛି। ଦଳର ସଭାପତି ନବୀନ ପଟ୍ଟନାୟକ ଠିକ ସମୟରେ ଠିକ ନିଷ୍ପତ୍ତି ନେବେ। ପ୍ରଶାନ୍ତ ମୁଦୁଲି କହିଛନ୍ତି, ରାଜ୍ୟସଭା ଯିବା ପାଇଁ ଯେଉଁ ମାନଦଣ୍ଡ ଅଛି, ବିଜେଡିର ଅନେକ ନେତା ସେହି ମାନଦଣ୍ଡ ପୂରଣ କରୁଛନ୍ତି।
ଆସନ୍ତା ଏପ୍ରିଲରେ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ଖାଲି ହେବ। କେଉଁ ଦଳ କାହାକୁ ପାର୍ଲାମେଣ୍ଟର ଉଚ୍ଚ ସଦନକୁ ପଠାଇବେ, ତାହା ଏଯାଏ ସ୍ପଷ୍ଟ ହୋଇନି। ତା ସହିତ ଚତୁର୍ଥ ଆସନ ସୃଷ୍ଟି କରିଛି ସସପେନ୍ସ।

