ସଂସଦରେ ଉଠିଲା ପଶ୍ଚିମ ଓଡ଼ିଶାର ସଂସ୍କୃତି ସମ୍ପନ୍ନ ପୀଠର ସୁରକ୍ଷା ଦାବି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଐତିହାସିକ, ସଂସ୍କୃତି ସମ୍ପନ୍ନ ପୀଠର ସୁରକ୍ଷା, ସଂରକ୍ଷଣ ଏବଂ ସାମଗ୍ରୀକ ଉନ୍ନତି କଥା ସଂସଦରେ ଉଠାଇଛନ୍ତି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ରାଜ୍ୟସଭା ସଚିବଙ୍କୁ ଚିଠି ଲେଖି ସ୍ପେଶାଲ ମେନସନ୍ ଜରିଆରେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ସାଂସଦ ।

ମହାନଦୀ କୂଳରେ ଥିବା ସମ୍ବଲପୁର ଜିଲ୍ଲାର ହୁମା ମନ୍ଦିର, ୧୬ଶହ ଶତାବ୍ଦୀର ପୁରାତନ ସମଲେଶ୍ବରୀ ପୀଠ, ଗନ୍ଧମାର୍ଦ୍ଧନ ପାହାଡ଼ ତଳେ ୧୩ଶହ ଶତାବ୍ଦୀର ନୃସିଂହନାଥ ମନ୍ଦିର ଭଳି ଅନେକ ମନ୍ଦିରର ସୁରକ୍ଷା ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି ପ୍ରସନ୍ନ । ଏହା ସହ ବୌଦ୍ଧ ଜିଲ୍ଲାର ବୌଦ୍ଧସ୍ତୁପ, ରେଢାଖାଲର ଭୀମ ମଣ୍ଡାଳୀ, ଆଠମଲ୍ଲିକ ଅଂଚଳର ଦେଉଳଝରୀ ଝରଣା, ବଲାଙ୍ଗୀରର ହରିଶଙ୍କର ଜଳପ୍ରପାତ ଏବଂ ଶିବ ମନ୍ଦିର ସହିତ ସନ୍ଥ କବି ଭୀମଭୋଇଙ୍କ ଜନ୍ମସ୍ଥାନ, ବରଗଡ଼ ଜିଲ୍ଲାର ପପଙ୍ଗା ପାହାଡ଼ର ସୁରକ୍ଷା ଓ ସଂରକ୍ଷଣ ପାଇଁ ଦାବି କରିଛନ୍ତି ।

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯଦିଓ ରାଜ୍ୟ ସରକାର ଏସବୁ ପୀଠର ବିକାଶ ପାଇଁ କାମ କରୁଛନ୍ତି, ହେଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟ ସହଯୋଗ କରିବାର ଆବଶ୍ୟକତା ରହିଛି  । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସାମଗ୍ରୀକ ବିକାଶ ସହ ଉପଯୁକ୍ତ ଭିତ୍ତିଭୂମି ଯୋଗାଇବାକୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଦାବି କରିଛନ୍ତି ।

Leave a Reply