ରାଜ୍ୟସଭା ଉପନିର୍ବାଚନ ତାରିଖ ଘୋଷଣା ପରେ ଓଡ଼ିଶା ରାଜନୀତିରେ ଚର୍ଚ୍ଚା

ଭୁବନେଶ୍ବର: ରାଜ୍ଯସଭାକୁ ଓଡ଼ିଶାରୁ ଯିବ କିଏ ? ଉପ ନିର୍ବାଚନର ତାରିଖ ଘୋଷଣା ପରେ ରାଜ୍ଯ ରାଜନୀତିରେ ଏବେ ଏହି ଚର୍ଚ୍ଚା । ସଂଖ୍ୟା ଦୃଷ୍ଟିରୁ ବିଜେପିର ପ୍ରାର୍ଥୀ ଜିତିବା ଏକ ପ୍ରକାର ନିଶ୍ଚିତ । କିନ୍ତୁ ବିଜେପି କାହାକୁ ରାଜ୍ୟସଭା ପଠାଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆଶାୟୀଙ୍କ ତାଲିକା ବେଶ୍ ଲମ୍ବା ଥିବା ବେଳେ ସଂସଦୀୟ ବୋର୍ଡ଼ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି କୁହାଯାଉଛି । ଆଶାୟୀମାନେ ଏବେ ଭୁବନେଶ୍ଵରରୁ ଦିଲ୍ଲୀ ଯାଏଁ ଲବି କରିବାରେ ଲାଗିଛନ୍ତି ।

ମନମୋହନ ସାମଲ, ବିଶେଶ୍ବର ଟୁଡ଼ୁ, ସମୀର ମହାନ୍ତି, ସମୀର ଦେ, କୁସୁମ ଟେଟେ, ଦିଲୀପ ରାୟ ଏବଂ ମମତା ମହାନ୍ତ । ଏମାନଙ୍କ ମଧ୍ୟରୁ କିଏ ରାଜ୍ୟସଭା ଯିବେ ନା ଦିଲ୍ଲୀରୁ ଆସିବ ସରପ୍ରାଇଜ । ଏହାକୁ ନେଇ ପଦ୍ମ ଶିବିରରେ ଚର୍ଚ୍ଚା ଜୋର୍ ଧରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟସଭା ରେସର ଆଗରେ ଥିବା ବେଳେ ୨୦୨୪ ନିର୍ବାଚନ ପରାଜୟ ତାଙ୍କ ପାଇଁ କଣ୍ଟା ସାଜିଛି । ଯଦି ପରାଜିତ ନେତାଙ୍କୁ ପୁରସ୍କାର ଭାବେ ରାଜ୍ୟସଭା ପଠାଯିବ ତେବେ ଦଳରେ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ନେଇପାରେ । ସେହିପରି ବିଜେଡିରୁ ଆସି ବିଜେପିରେ ସାମିଲ ହୋଇଥିବା ମମତା ମହାନ୍ତଙ୍କୁ ବି ଯଦି ରାଜ୍ୟସଭା ପ୍ରାର୍ଥୀ କରାଯିବ, ତେବେ ଦଳ ଅଡ଼ୁଆରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି । ଏପରି ସ୍ଥିତିରେ ପଦ୍ମ ଶିବିରରେ ଭୁବନେଶ୍ବରରୁ ଦିଲ୍ଲୀ ଯାଏଁ ଚାଲିଛି କସରତ । ରାଜ୍ୟସଭା ପାଇଁ ବହୁ ନେତାଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଚିନ୍ତାରେ ପଡ଼ିଛନ୍ତି । ବିଧାୟକ ବାବୁ ସିଂହ କହିଛନ୍ତି, ଦଳର ସଂସଦୀୟ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଚର୍ଚ୍ଚା ହେଉଥିବା ନେତା ରାଜ୍ଯସଭାକୁ ଯିବେ ନା କେନ୍ଦ୍ରୀୟ ନେତୃତ୍ବ ସରପ୍ରାଇଜ ଦେବେ, ତାକୁ ସମସ୍ତେ ଅପେକ୍ଷା କରିବା ଆବଶ୍ଯକ ।

ମମତା ମହାନ୍ତ ରାଜ୍ୟସଭାରୁ ଇସ୍ତଫା ଦେଇଥିବାରୁ ସେହି ଆସନ ଖାଲି ପଡ଼ିଛି । ଏହି ଆସନ ପାଇଁ ହେବ ଉପନିର୍ବାଚନ । ସଂଖ୍ୟା ଦୃଷ୍ଟିରୁ ବିଜେପି ଏହି ଆସନରେ ବିଜୟ ହେବା ନିଶ୍ଚିତ । ତଥାପି ଏହି ଦଳର ବିଧାୟକମାନେ ରାଜ୍ୟସଭା ଉପନିର୍ବାଚନକୁ ନେଇ ମାପିଚୁପି ବୟାନ ଦେଉଛନ୍ତି । କଂଗ୍ରେସର ସଂଖ୍ୟା ନଥିଲେ ମଧ୍ୟ ଦଳ ଆସନ୍ତା ୧୯ ତାରିଖ ପରେ ନିଷ୍ପତ୍ତି ନେବ ବୋଲି ଯୁବ ବିଧାୟକ ସାଗର ଦାସ କହିଛନ୍ତି ।

୯ଟି ରାଜ୍ୟର ୧୨ଟି ରାଜ୍ୟସଭା ଆସନ ପାଇଁ ସେପଟେମ୍ବର ୩ରେ ହେବ ଭୋଟ । ୧୪ ଅଗଷ୍ଟରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହେଉଛି ଅଗଷ୍ଟ ୨୧ । ଅଗଷ୍ଟ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହେଉଛି ଅଗଷ୍ଟ ୨୭ । ସେପ୍ଟେମ୍ବର ୩ ତାରିଖରେ ଭୋଟ ହେବ ଓ ସେହି ଦିନ ଫଳାଫଳ ବାହାରିବ ।