ପଦ୍ମଦଳରେ ଟେନସନ୍: ରାଜ୍ୟସଭା ପ୍ରାର୍ଥିତ୍ବ ଦ୍ବନ୍ଦ୍ବ, ନାହିଁ ବିଶ୍ବାସ ଓ ଭରଷା

ଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନକୁ ନେଇ ବିଜେପିରେ ଜାରି ରହିଛି ଦ୍ବନ୍ଦ୍ବ। ବିଜେପି କାହାକୁ ସମର୍ଥନ ଦେବ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ମମତା ମହାନ୍ତଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ, ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଜଗନ୍ନାଥ ପ୍ରଧାନ । ଆସନ୍ତାକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । କିଏ ରହିବ ଓ କିଏ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବ ତାହା ବି ଜଣାପଡ଼ିବ । ଅନ୍ୟପଟେ ବିଜେପିରେ ବିଶ୍ବାସ ଓ ଭରଷା ନଥିବାରୁ ଦଳ ପ୍ରଥମ ଥର ଲାଗି ରାଜ୍ୟସଭାରେ ଏପରି ରଣନୀତି ଆପଣାଇ ଥିବା କଟାକ୍ଷ କରି କହିଛନ୍ତି ବିରୋଧୀ ।

କିଏ ବିଜେପିର ଡମି ପ୍ରାର୍ଥୀ ? ମମତା ମହାନ୍ତ ନା ଜଗନ୍ନାଥ ? ଆସନ୍ତାକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । କିନ୍ତୁ ପଦ୍ମଦଳରେ ଜାରି ରହିଛି ଟେନସନ । ଦଳର ସଂସଦୀୟ ବୋର୍ଡ଼ ରାଜ୍ୟସଭା ଉପନିର୍ବାଚନ ପାଇଁ ମମତା ମହାନ୍ତଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ହେଲେ ଶେଷ ମୁହୂର୍ତ୍ତରେ ୧୦ ଜଣ ବିଜେପି ବିଧାୟକଙ୍କ ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ଜଗନ୍ନାଥ ପ୍ରଧାନ । ଯାହାକୁ ନେଇ ରାଜ୍ୟସଭା ଉପ ନିର୍ବାଚନରେ ଭରିଛି ଉଷ୍ମତା । କିଏ ବିଜେପିର ଡମି ନେତା ଚର୍ଚ୍ଚା ଜାରି ରହିଥିବା ବେଳେ ଦ୍ବନ୍ଦ୍ବରେ ଅଛନ୍ତି ବିଧାୟକ । ମମତା ଓ ଜଗନ୍ନାଥଙ୍କୁ ନେଇ ଦୋଛକିରେ ପଡ଼ିଛନ୍ତି ବିଜେପି ବିଧାୟକ । ବିଧାୟକ ସୀମାରାଣୀ ସାହୁଙ୍କ କହିବା କଥା, ଦଳର କେନ୍ଦ୍ରୀୟ ନେତୃତ୍ବ ଯାହାକୁ ପ୍ରାର୍ଥୀ କରିବେ ସେଥିରେ ସମସ୍ତଙ୍କ ସହମତ ରହିବ । ଅନ୍ୟପଟେ ନିଜ ପ୍ରାର୍ଥୀଙ୍କ ଉପରେ ଶାସକ ଦଳର ଭରସା ନଥିବା ଅଭିଯୋଗ କରିଛି ବିଜେଡି । ରାଜ୍ୟସଭା ନିର୍ବାଚନ ନେଇ ନିଜକୁ ଅସୁରକ୍ଷିତ ମନେ କରୁଛି ବିଜେପି । ଯେଉଁ ବିଧାୟକଙ୍କ ସମର୍ଥନରେ ଜଗନ୍ନାଥ ନାମାଙ୍କନ ଭରିଲେ, ସେଥିରେ ଦଳୀୟ ସ୍ୱୀକୃତି ଥିଲା କି ବୋଲି ପ୍ରଶ୍ନ କରିଛି ବିଜେଡି ।

ପ୍ରଥମ ଥର ଲାଗି ରାଜ୍ୟସଭା ନିର୍ବାଚନରେ ସଂଖ୍ୟା ଥାଇ ବି କୌଣସି ଦଳ ଦୁଇଟି ପ୍ରାର୍ଥୀ ଦେବାରେ ବିଜେପି ରହିଛି ଆଗରେ । କିନ୍ତୁ ଗେରୁଆ ଦଳ ଏଯାଏଁ ସ୍ପଷ୍ଟ କରୁନି ଯେ, କାହିଁକି ନାମାଙ୍କନ ଭରିଲେ ଦ୍ବିତୀୟ ପ୍ରାର୍ଥୀ । ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେପି କେଉଁ କାରଣ ପାଇଁ ରାଜ୍ୟସଭା ଉପନିର୍ବାଚନରେ ଡମି ପ୍ରାର୍ଥୀ କଲା ତାହା ସ୍ପଷ୍ଟ କରିନାହିଁ । ନୂଆ ସରକାର ନୂଆ ଷ୍ଟ୍ରାଟେଜି ନେଇ ଏମିତି କରିଥିବା ଅନୁମାନ କରାଯାଉଛି । ତେବେ କିଏ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବ, ସେନେଇ ବିଜେପିର ଶୀର୍ଷ ନେତୃତ୍ବ ସଙ୍କେତ ଦେଇ ସାରିଥିବା କହିଛନ୍ତି ସମୀକ୍ଷକ ।

ଦୁଇ ନେତାଙ୍କ ନାମାଙ୍କନ ପରେ ବିଜେପିରେ ଦଳୀୟ କନ୍ଦଳକୁ ନେଇ ଚର୍ଚ୍ଚା ହେଉଛି । ଆମଦାନୀ ନେତାଙ୍କୁ ବରଦାସ୍ତ କରି ପାରୁନାହାନ୍ତି କି ମୂଳ ବିଜେପି ନେତା ? ଯଦି ଜଗନ୍ନାଥଙ୍କୁ ବିଜେପି ଡମି ପ୍ରାର୍ଥୀ କରେ ବା ସେ ନିର୍ବାଚନରୁ ଓହରନ୍ତି, ତାହା ତାଙ୍କ ପାଇଁ ଏକ ଶକ୍ତ ଧକ୍କା ହେବ । କାରଣ ବାହାରୁ ଆସିଥିବା ନେତାଙ୍କୁ ପ୍ରାଥମିକତା ଓ ଦଳୀୟ ନେତାଙ୍କୁ ଅଲୋଡ଼ା କରିବା, ବିଜେପିର ସଂଗଠନ ଉପରେ ନକରାତ୍ମକ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ଏସବୁ ଆଲୋଚନା ଓ ପର୍ଯ୍ୟାଲୋଚନାରୁ ହଟିବ ପରଦା ।