ଭୁବନେଶ୍ବର : ୪ଟି ଆସନ। ୩ଟି ଦଖଲ ପାଇଁ ବିଜେପିର ସ୍ବପ୍ନ l ସଂଖ୍ୟା ନଥାଇ ବିଜେପି ୩ଟି ଆସନ ହାତେଇବା ଦମ୍ଭୋକ୍ତିକୁ କଟାକ୍ଷ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ। ତାଙ୍କ ଯୁକ୍ତି ହେଉଛି ବିଜେପିର ଯେତେ କମ୍ ସାଂସଦ ଦିଲ୍ଲୀ ଯିବେ ସେତେ ଭଲ। କାରଣ ସେମାନେ ଦିଲ୍ଲୀ ଯାଇ କେବଳ ଚୁପ୍ ବସୁଛନ୍ତି। ରାଜ୍ୟସଭା ପାଇଁ ବିଜେଡି କି ନିଷ୍ପତ୍ତି ନେବ, ତାହା ଦଳର ଶୀର୍ଷ ନେତୃତ୍ୱ ହିଁ ବିଚାର କରିବେ। ତେଣୁ ରାଜ୍ୟସଭାକୁ ବିଜେପିରୁ ୨ରୁ ଅଧିକ ଆସନ ନଯାଉ ବୋଲି କହିଛନ୍ତି ଅରୁଣ। ସେପଟେ ଅରୁଣ ସାହୁଙ୍କୁ କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା। ତାଙ୍କ କହିବା କଥା, ୩ଟି ରାଜ୍ୟସଭା ଆସନ ହାତେଇବ ବିଜେପି।
ଏପ୍ରିଲ ମାସରେ ଓଡ଼ିଶାର ୪ଟି ଆସନ ଖାଲି ପଡୁଥିବାରୁ ୨ଟି ଆସନରେ ବିଜେପି ଓ ଗୋଟିଏ ଆସନ ବିଜେଡି ହାତେଇବା ନିଶ୍ଚିତ। ଚତୁର୍ଥ ଆସନ ପାଇଁ କିଙ୍ଗ ମେକର ସାଜିବ ବିଜେଡି। ଏବେ ଚର୍ଚ୍ଚା, କାହାର ହେବ ଚତୁର୍ଥ ଆସନ ? ସସପେନ୍ସ ଜାରି ରହିଥିବା ବେଳେ ଅଙ୍କକଷା ଜାରି ରଖିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ। ବରିଷ୍ଠ ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, ବିଜେଡି ଗୋଟିଏ ସିଟ୍ ଜିତିବା ନିଶ୍ଚିତ। ବଳକା ଭୋଟ ନେଇ ବିଚାର ବିମର୍ଷ କରୁଛି ଦଳ। ସେପଟେ କଂଗ୍ରେସ କହିଛି ରାଜ୍ୟସଭା ଲାଗି ଦଳ ଯେଉଁ ନିଷ୍ପତ୍ତି ନେବ ତାହାକୁ ମାନିନେବେ ସମସ୍ତ ବିଧାୟକ। ରାଜ୍ୟସଭାର ଚତୁର୍ଥ ଆସନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପାଖରେ ସଂଖ୍ୟା ନଥିବାରୁ, ପ୍ରତ୍ୟେକ ଦିନ ଏହାକୁ ନେଇ ନେତାଙ୍କ ମଧ୍ୟରେ ଜାରି ରହିଛି ବୟାନବାଜି। ଆସନ୍ତା ୨୬ ତାରିଖ ଦିନ ରାଜ୍ୟସଭା ପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି।

