ରାଜ୍ୟସଭାରେ ସମ୍ବିଧାନ ବିତର୍କର ଆଜି ଦ୍ଵିତୀୟ ତଥା ଶେଷ ଦିନ

ନୂଆଦିଲ୍ଲୀ: ରାଜ୍ୟସଭାରେ ସମ୍ବିଧାନ ବିତର୍କର ଆଜି ଦ୍ଵିତୀୟ ତଥା ଶେଷ ଦିନ। ଆଜି ମଧ୍ୟ ବିଭିନ୍ନ ଦଳର ସଦସ୍ୟ ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ଅବସରରେ ବକ୍ତବ୍ୟ ରଖିବେ। ଗତକାଲି ଆଲୋଚନାର ପ୍ରଥମ ଦିନର ଦ୍ଵିତୀୟ ସେସନରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ। ବିଭିନ୍ନ ରାଜ୍ୟରେ ସରକାର ଭଂଗ ପ୍ରସଙ୍ଗ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ସିବଲ। ଅର୍ଥର ଅପବ୍ୟବହାର କରି ବିଭିନ୍ନ ରାଜ୍ୟରେ ସରକାର ଭଂଗ କରାଯାଉଛି ବୋଲି କହିଥିଲେ କଂଗ୍ରେସ ନେତା ସିବଲ। ସେଠାରେ କିଏ ରାଜନୈତିକ ନ୍ୟାୟ ପାଉଛି ବୋଲି ପଚାରିଥିଲେ ସିବଲ। କଂଗ୍ରେସ ସାଂସଦ ଅଭିଶେଷ ମନୁ ସିଂହଭି ମଧ୍ୟ କେନ୍ଦ୍ରକୁ ଟାର୍ଗେଟ କରି ତୀବ୍ର ଭାବେ ବର୍ଷିଥିଲେ।

ବିଜେପି ଶାସନ ଭାରତରେ ଭୟ, ଅବିଶ୍ଵାସ ଏବଂ ବିଭାଜନର ପରିବେଶ ସୃଷ୍ଟି କରୁଛି ବୋଲି କହିଥିଲେ । ସେଣ୍ଟ୍ରାଲ ହଲରୁ ଆରମ୍ଭ କରି ସଂଖ୍ଯାଲଘୁ ପର୍ଯ୍ୟନ୍ତ ଭୟର ବାତାବରଣ ରହିଛି। ସ୍ମାରକୀ ଠାରୁ ଆରମ୍ଭ କରି ଦୋକାନକୁ ବୁଲଡୋଜର ସହାୟତାରେ ଭଂଗାଯାଉଛି। ସମାଜବାଦ ଏବଂ ଧର୍ମନିରପେକ୍ଷ କେଉଁଠାରେ ରହିଛି ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ସାଂସଦ। ଲୋକତନ୍ତ୍ରର ମୁଖା ପିନ୍ଧି ଯୁଦ୍ଧ କରୁଛନ୍ତି, କିନ୍ତୁ ବାସ୍ତବରେ ଏକଛତ୍ରବାଦର ହତିଆର ଚଳାଉଛନ୍ତି ବୋଲି କହିଥିଲେ ସିଂହଭି। ଆଲୋଚନାର ପ୍ରଥମାର୍ଦ୍ଧରେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସମ୍ବିଧାନ ଉପରେ ଗତକାଲି ଏବଂ ଆଜି ଦୁଇ ଦିନ ଧରି ଆଲୋଚନା କାର୍ଯ୍ୟକ୍ରମ ରହିଛି।

ନଜର ପକାନ୍ତୁ