ପୁଣି ଗୁରୁତର କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ: ପୁଣି ଗୁରୁତର ହେଲା କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥା । ଅତ୍ୟଧିକ ଜ୍ବର ହେବା ପରେ ତାଙ୍କୁ ପୁଣି ଭେଣ୍ଟିଲେଟରରେ ରଖାଯାଇଛି । ତାଙ୍କ ଶରୀରର ତାପମାତ୍ରା ୧୦୦ ଡିଗ୍ରୀରେ ପହଞ୍ଚିବା ପରେ ତୁରନ୍ତ ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା । ଅତି ଗୁରୁତର ଅବସ୍ଥାରେ ଥିବା ରାଜୁ ଗତ ୭ ଦିନ ତଳେ ସାମାନ୍ୟ ସ୍ବାଭାବିକ ଅବସ୍ଥାକୁ ଆସିଥିଲେ । ତେବେ ସେ ବିପଦମୁକ୍ତ ଅଛନ୍ତି ଏବଂ ଅଙ୍ଗପ୍ରତ୍ୟେଙ୍ଗ ସକ୍ରିୟ ରହିଥିବା କୁହାଯାଇଛି ।

ଗତ ୨୫ ତାରିଖ ସକାଳେ ତାଙ୍କର ଚେତନା ଶକ୍ତି ଫେରିଥିଲା । ଅଗଷ୍ଟ ୧୦ ତାରିଖରେ ହୃଦଘାତରେ ଅସୁସ୍ଥ ହୋଇ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଥିଲେ ରାଜୁ । ବଲିଉଡ ଅଭିନେତା ଓ ରାଜନେତାଙ୍କ ନକଲ କରି ବେଶ୍ ଚର୍ଚ୍ଚିତ ରାଜୁ । ଦି ଗ୍ରେଟ ଇଣ୍ଡିଆନ ଲଫର ଚାଲେଞ୍ଜ, କମେଡି କା ମହା ମୁକାବିଲା, କମେଡି ସର୍କସ, କମେଡି ନାଇଟ୍ସ ଉଇଥ କପିଲ, ଶକ୍ତିମାନ୍ ଆଦି କାର୍ଯ୍ୟକ୍ରମରେ ଅର୍ଜନ କରିଛନ୍ତି ଯଥେଷ୍ଟ ଖ୍ୟାତି । ତେଜାବ, ମୈନେ ପ୍ୟାର କିୟା, ବାଜିଗର ସମେତ ଅନେକ ଫିଲ୍ମରେ ବି କରିଛନ୍ତି ଅଭିନୟ ।