ପାକିସ୍ତାନ ଓ ଚୀନକୁ ପ୍ରତିରକ୍ଷମାନ୍ତ୍ରୀଙ୍କ ଚେତାବନୀ, ବିସ୍ତାରବାଦୀ ନୀତିର ଯବାବ ଦିଆଯିବ

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବୁଧବାର ଦିନ ପାକିସ୍ତାନ ଓ ଚୀନକୁ ଚେତାବନୀ ଦେଇଛନ୍ତି । ଭାରତ ସବୁ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚାହେଁ କିନ୍ତୁ ଦେଶର ଆତ୍ମସମ୍ମାନ ସହ କୌଣସି ସାଲିସ କରାଯିବ ନାହିଁ । ସେ ସିଧାସଳଖ ଚୀନକୁ ନିଶାନାକୁ ନେଇ କହିଛନ୍ତି ଯେ, ବେଜିଂର ବିସ୍ତାରବାଦୀ ନୀତିର ଉତ୍ତର ଭାରତ ଦେବ ।
ରାଜନାଥ କହିଛନ୍ତି ଯେ, ନରମ ହେବାର ଅର୍ଥ କେବେ ମଧ୍ୟ ଏହା ନୁହେଁ ଯେ କେହି ମଧ୍ୟ ଆମ ଆତ୍ମସମ୍ମାନ ଉପରେ ଆକ୍ରମଣ କରିବ ଓ ଆମେ ଚୁପ ହୋଇ ବସିବୁ । ଭାରତ ତା’ର ସ୍ୱାଭିମାନ ଉପରେ ହେଉଥିବା କୌଣସି ପ୍ରକାରର ଆକ୍ରମଣକୁ କେବେ ମଧ୍ୟ ବରଦାସ୍ତ କରିବ ନାହିଁ । ଆମେ ନିଜ ଆତ୍ମସମ୍ମାନ ସହ ସାଲିସ କରିବୁ ନାହିଁ ।
ପାକିସ୍ତାନ ଓ ଚୀନ ମେଣ୍ଟ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ରାଜନାଥ କହିଛନ୍ତି ଯେ, ଆମ ନିଶାନା ପକ୍ଷୀର ଆଖି ଉପରେ ଅଛି । ଯିଏ ଆମ ସହ ଲାଗିବ ଆମେ ତାକୁ ଛାଡିବୁ ନାହିଁ । ତେଣିକି ଯାହା ମଧ୍ୟ ହେଉ । ସମସ୍ତଙ୍କ ସହ ଭଲ ସମ୍ପର୍କ ପ୍ରତିଷ୍ଠା ସବୁବେଳେ ଆମ ଚେଷ୍ଟା ହୋଇ ଆସିଛି ।

ନୂଆ ଭାରତ ମୁହଁତୋଡ ଯବାବ ଦେଇ ପାରିବ
ନ୍ୟୁଜ୍ ଏଜେନସି ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ରାଜନାଥ କହିଛନ୍ତି ଯେ,ଚୀନ ସହିତ ସୀମା ବିବାଦକୁ ଭାରତ ଯେଉଁଭଳି ମୁକାବିଲା କରିଛି ସେଥିରୁ ଏହା ପ୍ରମାଣିତ ହୋଇଛି ଯେ, ଭାରତ ଦୁର୍ବଳ ନୁହେଁ । ଏହା ନୂଆ ଭାରତ , ଯାହା ସୀମା ଉଲ୍ଲଂଘନ,ଆକ୍ରମକତା ତଥା କୌଣସି ପ୍ରକାରର ଏକତରଫା କାର୍ଯ୍ୟାନୁଷ୍ଠାନର ମୁହଁତୋଡ ଯବାବ ଦେଇ ପାରିବ ।

ଲଦ୍ଦାଖ ସୀମା ବିବାଦର ସମାଧାନ ମିଳିନାହିଁ
ଚୀନ୍ ସହିତ ଲଦ୍ଦାଖ ସୀମାକୁ ନେଇ ଜାରି ଥିବା ବିବାଦ ଉପରେ ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଏହାକୁ ନେଇ କୌଣସି ପ୍ରକାରର ସମାଧାନ ସୂତ୍ର ମିଳି ପାରିନାହିଁ । ତେବେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଯଥାସ୍ଥିତି ରହିଛି । ଚୀନ ସହିତ ଆଲୋଚନା ମଧ୍ୟ ଜାରି ରହିଛି ।
ରାଷ୍ଟ୍ରୀୟ ସୁରକ୍ଷା ଆମ ପ୍ରାଥମିକତା
ଦେଶର ସୁରକ୍ଷାକୁ ନେଇ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ମୁଁ ବିଗତ ଦିନର ସରକାରଙ୍କୁ ନେଇ କୌଣସି ପ୍ରଶ୍ନ ଉଠାଇବାକୁ ଚାହୁଁନାହିଁ କିନ୍ତୁ ଏହା କହି ପାରିବି ଯେ, ଯେବେଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟଭାର ସମ୍ଭାଳିଛନ୍ତି ସେବେଠାରୁ ରାଷ୍ଟ୍ରୀୟ ସୁରକ୍ଷା ଆମ ପ୍ରାଥମିକତା ରହି ଆସିଛି । ଆମେ ଆମ ସୁରକ୍ଷାବଳଙ୍କୁ ଅଧିକରୁ ଅଧିକ ସୁବିଧା ଉପଲବ୍ଧ କରାଇ ଆସିଛୁ ।

Leave a Reply