ସାହସିକତା ସହ ଚୀନକୁ ଜବାବ ଦେଇଛି ଭାରତୀୟ ସେନା, ସଂସଦରେ ଉତ୍ତର ରଖିଲେ ରାଜନାଥ

1 min read

ନୂଆଦିଲ୍ଲୀ: ଅତି ସାହସିକତାର ସହ ଚୀନ ସେନାକୁ ଜବାବ ଦେଇଛି ଭାରତୀୟ ସେନା  । ଭାରତୀୟ ଯବାନ ଚୀନ ସୈନିକଙ୍କୁ ତାଙ୍କ ପୋଷ୍ଟକୁ ଫେରାଇବାରେ ସଫଳ ହୋଇଛନ୍ତି  । ଏହି ସମୟରେ ନା କୌଣସି ଯବାନଙ୍କ ନିଧନ ହୋଇଛି ନା କେହି ଯବାନ ଆହତ ହୋଇଛନ୍ତି  । ବରଂ ଡିସେମ୍ବର ୯ରେ ପିଏଲଏ ଯବାନ ଯଥାସମ୍ଭବ ସ୍ଥିତି ବଦଳାଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି  । ଏହି ସମୟରେ ଭାରତୀୟ ଯବାନଙ୍କ ସହ ଚୀନ ସେନା ମୁହାଁମୁହିଁ ହୋଇଥିଲେ  । କିନ୍ତୁ ଅତି ସାହସିକତାର ସହ ସେମାନଙ୍କୁ ଜବାବ ଦେଇ ନିଜ ପୋଷ୍ଟ ଅଭିମୁଖେ ଭାରତୀୟ ସେନା ପଠାଇ ଦେଇଥିବା ସଂସଦରେ ଉତ୍ତର ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଘଟଣା ପରେ ନିୟୋଜିତ କମାଣ୍ଡର ୧୧ ଡିସେମ୍ବରରେ ଚୀନ ପ୍ରତିପକ୍ଷଙ୍କ ସହ ଆଲୋଚନା କରି ତାଙ୍କୁ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି  । ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ ‘‘ଭାରତୀୟ ସେନା ଭୌମିକ ଅଖଣ୍ଡତାକୁ ସୁରକ୍ଷିତ ରଖିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ  । ଏହା ବିରୋଧରେ କୌଣସି ପ୍ରୟାସ ଅଟକାଇବା ପାଇଁ ସର୍ବଦା ତତ୍ପର ସେନା । ମୋତେ ବିଶ୍ବାସ ଅଛି ଯେ ସଂସଦ ଆମ ସେନାର ବୀରତ୍ବ ଓ ସାହସକୁ ଏକ ସ୍ବରରେ ସମର୍ଥନ ଦେବେ’’ ।

ତାଓ୍ବାଙ୍ଗରେ ଭାରତ-ଚୀନ ସେନା ସଂଘର୍ଷକୁ ନେଇ ସଂସଦରେ ହଙ୍ଗାମା । ଉଭୟ ଗୃହରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିରୋଧୀଙ୍କ ହୋ ହାଲ୍ଲା ଯୋଗୁଁ ଉଭୟ ଗୃହକୁ ୧୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ସରକାର ସୀମା ବିବାଦକୁ ଚପାଇ ଦେବାକୁ ଉଦ୍ୟମ କରୁଥିବାରୁ ଚୀନର ଦୁଃସାହସ ବଢ଼ୁଛି ବୋଲି କଂଗ୍ରେସ କହିଛି ।

ରାଷ୍ଟ୍ର ସୁରକ୍ଷାକୁ ନେଇ ରାଜନୀତି ନକରି ଏହାର ସମାଧାନ ଦିଗରେ ଚର୍ଚ୍ଚା କରିବା ଆବଶ୍ୟକ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ସୀମାରେ ଚୀନର ଉତ୍ପାତ ବଢୁଥିବା ବେଳେ ସରକାର ଏହାର ଜବାବ ଦେବାକୁ କ’ଣ ପଦକ୍ଷେପ ନେଉଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ତାଓ୍ବାଙ୍ଗ ସଂଘର୍ଷକୁ ନେଇ ଲୋକସଭାରେ ଉତ୍ତର ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।