spot_img

Latest Posts

ଅପରେସନ ସିନ୍ଦୂରରେ ବିଶ୍ବ ଦେଖିଲା ଭାରତର ଦମ୍ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଦୂରରେ ଭାରତର ଦମ୍ ଦେଖିଲା ବିଶ୍ବ। ତିନି ବାହିନୀର ଶକ୍ତି ଦେଖିଲା ଦେଶ। ଭାରତର ସୁରକ୍ଷା ବର୍ତ୍ତମାନ ବଡ଼ ଆହ୍ବାନ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଗୁଜରାଟ ଭୁଜରେ ରାଜନାଥ କହିଛନ୍ତି,୧୯୬୫ ଯୁଦ୍ଧରେ ଭାରତର ହୋଇଥିଲା ବିଜୟ। ଅପରେସନ ସିନ୍ଦୂରର ନାମ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅପରେସନ ସିନ୍ଦୂର ନେଇ ସମସ୍ତେ ଗର୍ବିତ। ଏହା ସହ ପାକିସ୍ତାନ ଦେଖିଲା ଭାରତର ଶକ୍ତି। ଏହି ଅପରେସନରେ ଭାରତୀୟ ବାୟୁସେନା ନେଇଥିଲା ପ୍ରମୁଖ ଭୂମିକା। ଏୟାରଫୋର୍ସର ଭୂମିକା ଥିଲା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଦୁନିଆ ଦେଖିଲା ପାକିସ୍ତାନର ୯ଟି ଠିକଣାକୁ କିପରି ଧ୍ବଂସ କରାଗଲା। ନୂଆ ଭାରତର ସନ୍ଦେଶ ସାରା ବିଶ୍ବରେ ପହଞ୍ଚାଯାଇଛି। ଭାରତ କେବଳ ଆମଦାନୀ ଅସ୍ତ୍ରରେ ଶକ୍ତ ନୁହେଁନିଜ ଅସ୍ତ୍ରରେ ଭାରତ ଦେଖାଇଲା ପରାକ୍ରମ। ଭାରତରେ ନିର୍ମିତ ବ୍ରହ୍ମୋସ ପାକିସ୍ତାନକୁ କରିଥିଲା ଚିତପଟାଙ୍ଗ।

ରାଜନାଥ ଆହୁରି ମଧ୍ୟ କହିଛନ୍ତି, ଭାରତର ଏୟାର ଡିଫେନ୍ସ ସିଷ୍ଟମ ଦେଖାଇଛି ଦମ୍ । ଲସ୍କର ଓ ଜୈସର ଭିତ୍ତିଭୂମିକୁ ଧ୍ବଂସ କରିଦେଲା ଭାରତ। ଆଇଏମଏଫର ଅନୁଦାନ ଆତଙ୍କୀ କାର୍ଯ୍ୟକଳାପରେ ବ୍ୟବହୃତ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ରାଜନାଥ। ଏହା ସହ ପାକିସ୍ତାନକୁ ଆର୍ଥିକ ସହାୟତା ଆତଙ୍କୀଙ୍କୁ ସହାୟତା ସହ ସମାନ ବୋଲି ସେ କହିଛନ୍ତି। ଭୁଜର ରୁଦ୍ର ମାତା ଏୟାର ଫୋର୍ସ ଷ୍ଟେସନ ଭାରତୀୟ ବାୟୁସେନାର ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ। ଭୁଜ ବେସାମରିକ ବିମାନବନ୍ଦରର ରନୱେ ସହ ଏୟାରଫୋର୍ସ ଷ୍ଟେସନ ରନୱେ ସମ୍ପୃକ୍ତ ରହିଛି। ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ଭୁଜ ଏୟାରଫୋର୍ସ ଷ୍ଟେସନ ଥିବାରୁ ଏୟାର ଡିଫେନ୍ସ ଓ ସର୍ଭେଲାନ୍ସ କ୍ଷେତ୍ରରେ ଏହା ପ୍ରମୁଖ ଗୁରୁତ୍ବ ବହନ କରିଥାଏ। ଦକ୍ଷିଣ ପଶ୍ଚିମ କମାଣ୍ଡ ଅଧୀନରେ ଭୁଜ ଏୟାରଫୋର୍ସ ଷ୍ଟେସନ ରହିଛି। ପଶ୍ଚିମାଞ୍ଚଳ ଏୟାର କମାଣ୍ଡ ଅଧୀନରେ ରହିଛି ଜାମୁ ଓ କାଶ୍ମୀର, ରାଜସ୍ଥାନ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ପଶ୍ଚିମାଞ୍ଚଳ ଉତ୍ତରପ୍ରଦେଶ।

Latest Posts

Don't Miss