ନାଉକୋଣା ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା, ଖୋଲା ଆକାଶ ତଳେ ପଡିରହିଛି ଧାନ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବଡ଼ ନାଉକୋଣା ପ୍ରାଥମିକ କୃଷି ସମବାୟ ସମିତି ଧାନମଣ୍ଡିରେ ଖୋଲା ଆକାଶ ତଳେ ଗଦା ହୋଇଛି ଶହ ଶହ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନବସ୍ତା । ନା ଧାନ ଘୋଡେଇବା ପାଇଁ ଅଛି ପାଲ ନା ଗାଈ ଗୋରୁଙ୍କ ଦାଉରୁ ସୁରକ୍ଷା ଦେବାପାଇଁ କେହି ଅଛନ୍ତି ଜଗିବାକୁ । ୧୫ ଦିନରୁ ଅଧିକ ହେବ ଚାଷୀ ଧାନ ରଖି ଜଗି ରହିଥିବା ବେଳେ ମିଲରମାନେ ଧାନ ଉଠାଉ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏପଟେ ମିଲର ମାନେ ଗାଡି ପଠାଉନଥିବାରୁ ମଣ୍ଡିରେ ଧାନ ପଡିରହିଛି ବୋଲି କହିଛନ୍ତି ସମବାୟ ସମିତି ସଂପାଦକ । ତେବେ ସମିତି ସଂପାଦକ ଓ ମିଲରଙ୍କ ଟଣାଓଟରା ଭିତରେ ଶୋଷଣ ହେଉଛନ୍ତି ନିରୀହ ଚାଷୀ ।

କେବଳ ନାଉକୋଣା ସମବାୟ ସମିତି ନୁହେଁ ଭାଡପଡା, ଓସ୍ତିଆ, ଈଶ୍ଵରପୁର, ତାଳଚୁଆ, ଚାନ୍ଦିବାଉଁଶମୂଳ, ଗୋପାଳପୁର ଆଦି ବିଭିନ୍ନ ଧାନ ମଣ୍ଡିରେ ମଧ୍ଯ ଧାନ ପଡିରହିଛି । ଫଳରେ ଚାଷୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ମଣ୍ଡି ଉଦଘାଟନ ହେବା ପୂର୍ବରୁ ୨୪ ଘଣ୍ଟାରେ ଧାନ ମଣ୍ଡିରୁ ଉଠିବ ଏବଂ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ ବୋଲି କହିଥିଲେ । ହେଲେ ମିଲର ଓ ସମବାୟ ସଂପାଦକ ମାନେ ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି କଟନିଛଟନି ସାଙ୍ଗକୁ ମଣ୍ଡିରୁ ଧାନ ଉଠାଉନାହାଁନ୍ତି । ତେଣୁ ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି । ଅପରପକ୍ଷରେ ଏନେଇ ରାଜନଗର ବ୍ଲକ ଯୋଗାଣ ନୀରିକ୍ଷକଙ୍କୁ ଏ ବାବଦରେ ପଚାରିବାରୁ ଧାନ ମଣ୍ଡିରେ ୧୫ ରୁ ୨୦ ଦିନ ହେବ ଧାନ ପଡିରହିଥିବା ନେଇ ସେ ସ୍ଵୀକାର କରିଛନ୍ତି । ମିଲରଙ୍କୁ ଶୀଘ୍ର ଧାନ ଉଠାଇବାକୁ ଚେତାବନୀ ଦିଆଯାଇଛି ବୋଲି କହିଛନ୍ତି । ମଣ୍ଡିରୁ କେବେ ଧାନ ଉଠୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।