ରାଜନଗରରେ ମ୍ୟାନଗ୍ରୁଭ ନର୍ସରୀ ନିର୍ମାଣକୁ ପ୍ରଶଂସା, ହେନ୍ତାଳ ବନ ବୃଦ୍ଧିରେ ହେବ ସହାୟକ

ଭୁବନେଶ୍ବର: ଓଡିଶାର ସୁରକ୍ଷା କବଚ ହେଉଛି ହେନ୍ତାଳ ବଣ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଲୁଣା ଜଙ୍ଗଲର ରହିଛି ଅନନ୍ଯ ଅବଦାନ । ଭିତରକନିକାରେ ରାଜନଗର ବନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି ସ୍ଥାୟୀ ମ୍ଯାନଗ୍ରୁଭ ନର୍ସରୀ । ହେନ୍ତାଳ ବଣ ବୃଦ୍ଧି ପାଇଁ ବନ ବିଭାଗ ଓ ସରକାରଙ୍କ ଉଦ୍ଯମକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ ।

ଜୈବବିବିଧତା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଲୁଣା ଜଙ୍ଗଲର ରହିଥାଏ ପ୍ରମୁଖ ଅବଦାନ । ଭିତରକନିକା ଜାତୀୟ ଉଦ୍ଯାନ ଡାଙ୍ଗମାଳ ଓ ସାତଭାୟାଠାରେ ରାଜନଗର ବନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି ସ୍ଥାୟୀ ମ୍ଯାନଗ୍ରୁଭ ନର୍ସରୀ । ନର୍ସରୀର ପ୍ରତ୍ୟେକ ବେଡ ନିକଟକୁ ଯେପରି ଲୁଣି ପାଣି ଯାଇପାରିବ ସେଥିପାଇଁ ୩ ସ୍ଲୁଇସ ନିର୍ମାଣ କରାଯାଇଛି । ସ୍ଲୁଇସ ମାଧ୍ୟମରେ ଲୁଣି ପାଣି ନାଳକୁ ଆସିବା ପରେ ସେହି ନାଳରୁ ୯୨ ପ୍ରଜାତିର ଲୁଣା ଗଛର ଚାରା ପ୍ରସ୍ତୁତ କରାଯିବ ।

ସୂଚନାଯୋଗ୍ୟ, ଭିତରକନିକାରେ ରହିଛି ୯୨ ପ୍ରଜାତିର ମ୍ୟାନଗ୍ରୁଭ ବା ହେନ୍ତାଳ ବୃକ୍ଷ । ଭିତରକନିକାରେ ଥିବା ସମସ୍ତ ଲୁଣାଗଛର ଚାରା ଗୋଟିଏ ସ୍ଥାନରେ ପ୍ରସ୍ତୁତି କରାଯିବା ପାଇଁ ନୂତନ ନର୍ସରୀ ନିର୍ମାଣ କରାଯାଇଛି । ଲୁଣା ଜଙ୍ଗଲ ପରିସୀମା ବୃଦ୍ଧି ପାଇଁ ମ୍ୟାନଗ୍ରୁଭ ପ୍ଲାଣ୍ଟେସନ ନିମନ୍ତେ ଏହି ନର୍ସରୀରୁ ଚାରା ଯିବ । ଏହି ନର୍ସରୀ ଭିତରକନିକାକୁ ଆସୁଥିବା ପର୍ଯ୍ୟଟକଙ୍କୁ ନୂଆବାର୍ତ୍ତା ପ୍ରଦାନ କରିବ । ଏଥିରୁ ଗବେଷକ ଓ ଛାତ୍ରଛାତ୍ରୀ ଲୁଣା ଜାତୀୟ ଗଛ ସଂପର୍କରେ ଜ୍ଞାନ ଆହରଣ କରିପାରିବେ । ରାଜନଗର ବନ ବିଭାଗ ମ୍ୟାନଗ୍ରୁଭ ମିତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ୩୨ ଜଣ ଲୋକ ସେମାନଙ୍କ ସ୍ଥିତିବାନ ଜମି ବନ ବିଭାଗକୁ ଦାନ କରିଛନ୍ତି ଲୁଣା ଜଙ୍ଗଲ ସୃଷ୍ଟି କରିବା ପାଇଁ ।