ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର, ସୁମନ ବେରି ହେବେ ନୂଆ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ଅଚାନକ ଇସ୍ତଫା । ଗତ ଅଗଷ୍ଟ ୨୦୧୭ରୁ ନୀତି ଆୟୋଗର ଉପାଧ୍ୟକ୍ଷ ଦାୟିତ୍ବ ନେଇଥିବା ରାଜୀବ କୁମାରଙ୍କ ଇସ୍ତଫା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜୀବଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ସରକାର । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଶିକ୍ଷାଲାଭ କରିଥିବା ରାଜୀବ କୁମାର ସରକାରଙ୍କ ବହୁ ଗୁରୁତ୍ବ ଯୋଜନାରେ ସାମିଲ ଥିଲେ । ସେ ମଧ୍ୟ ସେଣ୍ଟର ଫର ପଲିସି ରିସର୍ଚ୍ଚର ସିନିୟର ଫେଲୋ ଥିଲେ । ଅରବିନ୍ଦ ପାନଗାରିୟାଙ୍କ ସ୍ଥାନରେ ନିଯୁକ୍ତି ପାଇଥିଲେ ରାଜୀବ କୁମାର । ଅଚଳ ସମ୍ପତ୍ତିକୁ କାର୍ଯ୍ୟକ୍ଷମ କରିବା, ପୁଞ୍ଜି ପ୍ରତ୍ୟାହାର ଆଦି ପ୍ରସଙ୍ଗରେ ସେ ନେଇଥିଲେ ଗୁରୁତ୍ବପୂର୍ଣ୍ଣ ଭୂମିକା ।

ରାଜୀବ କୁମାର ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଦାୟିତ୍ୱ ନେବେ ସୁମନ ବେରୀ । ନ୍ୟାସନାଲ କାଉନସିଲ୍ ଫର ଆପ୍ଲାଏଡ ଇକୋନମିକ୍ ରିସର୍ଚ୍ଚର ମହାନିର୍ଦ୍ଦେଶକ ଭାବରେ ୨୦୦୧ରୁ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ସୁମନ । ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ, ପରିସଂଖ୍ୟାନ ଆୟୋଗ ଏବଂ ମୁଦ୍ରାନୀତି ସମ୍ପର୍କିତ ଭାରତୀୟ ରିଜର୍ଭ ବ୍ୟାଙ୍କର ବୈଷୟିକ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।