ବାରମ୍ବାର ଦୁର୍ଘଟଣା ପରେ ବି ଚେତୁନି ଡାଲମିଆ ସିମେଣ୍ଟ

1 min read

ରାଜଗାଙ୍ଗପୁର : ଆଉ କେତେ ଜୀବନ ଯିବ ? ବାରମ୍ବାର ଦୁର୍ଘଟଣା ପରେ ବି ଚେତୁନି ଡାଲମିଆ ସିମେଣ୍ଟ । ଶ୍ରମିକଙ୍କ ସହ ଖେଳାଯାଉଛି ଖେଳ । ଅନେକଙ୍କ ପରିବାର ଉଜାଡୁଥିବା ଅଭିଯୋଗ । ଗତକାଲି ପୁଣି ସୁନ୍ଦରଗଡ ରାଜଗାଙ୍ଗପୁରରେ ଥିବା ଏହି କାରଖାନାରେ ବଏଲର ନିକଟ ବଙ୍କର ଭୁଶୁଡ଼ି ପଡ଼ି ଦୁର୍ଘଟଣା ଘଟିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହୋଇନାହାନ୍ତି ନିଖୋଜ ୩ ଶ୍ରମିକ । ଉଦ୍ଧାର କାର୍ଯ୍ୟରେ ୨ଟି ଓଡ୍ରାଫ ଟିମ, ୫ଟି ଅଗ୍ନିଶମ ବାହିନୀ ଟିମ ନିୟୋଜିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତି ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ନିଖୋଜ କର୍ମଚାରୀଙ୍କ ସଂପର୍କରେ କୌଣସି ଖୋଜ ଖବର ନ ପାଇବାରୁ କମ୍ପାନୀ କର୍ତ୍ତୃପକ୍ଷ ଏବଂ ପୋଲିସ ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପରିବାର ଲୋକ । ପ୍ରତିବାଦରେ କାରଖାନା ଭିତରକୁ ଧସେଇ ପଶିଛନ୍ତି । ବାରମ୍ବାର ଏଠି ଦୁର୍ଘଟଣା ଘଟୁଥିବାରୁ କାରଖାନାର ସମସ୍ତ ଷ୍ଟ୍ରକଚର ଯାଞ୍ଚ ପାଇଁ ରାଜଗାଙ୍ଗପୁର ବିଧାୟକ ରାଜେନ ଏକ୍କା ଦାବି କରିଛନ୍ତି । NIT କିମ୍ବା IIT ର ଜାତୀୟ ସ୍ତରର ଏକ ଟିମ ଯାଞ୍ଚ କରି ରିପୋର୍ଟ ଆସିବା ପର୍ଯ୍ୟନ୍ତ କାରଖାନାର ଉତ୍ପାଦନ ସମ୍ପୁର୍ଣ ଵନ୍ଦ କରି କାରଖାନା ସିଲ କରିବା ପାଇଁ ମଧ୍ୟ ଦାବି ରଖିଛନ୍ତି ବିଧାୟକ । ସେପଟେ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିଟୁ ଶ୍ରମିକ ସଂଗଠନ ପକ୍ଷରୁ ଦାବି ହୋଇଛି ।

ଗତ ନଭେମ୍ବର ୨୬ ତାରିଖରେ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡର ଓଭରହେଡ କନଭେୟର ବେଲ୍ଟ ଭୁଶୁଡି ପଡିଥିଲା । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୬ଜଣିଆ ଟିମ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ । ଏହାସହ ସିଟୁ ଶ୍ରମିକ ସଂଗଠନ ପକ୍ଷରୁ ରାଜଗାଙ୍ଗପୁର ଥାନାରେ କାରଖାନା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଏତଲା ଦିଆଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା । ତା ପୂର୍ବରୁ ୨୦୨୩ ନଭେମ୍ବରରେ ମଧ୍ୟ ଏହି କାରଖାନରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । କାରଖାନାରେ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ବିଭିନ୍ନ ରାଜନୈତିକ ଦଳ, ଶ୍ରମିକ ସଂଗଠନ ଓ ରାଜଗାଙ୍ଗପୁର ବାସିନ୍ଦା ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।  କାହିଁକି ଶ୍ରମିକଙ୍କ ସୁରକ୍ଷାକୁ ଧ୍ୟାନ ଦେଉନାହାନ୍ତି କମ୍ପାନୀ କର୍ତ୍ତୃପକ୍ଷ  ? ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ କାହିଁକି ସାଜିଛି ନିରବଦ୍ରଷ୍ଟା ? ଏନେଇ ଅନେକ ଅସମାହିତ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ କାରଖାନା ସମ୍ମୁଖରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।