ପ୍ରେମିକକୁ ଭେଟିବା ପାଇଁ ତିଆରି କରିଥିଲେ ପାସପୋର୍ଟ, ପାକିସ୍ତାନରେ ଗିରଫ ରାଜସ୍ଥାନ ମହିଳା

1 min read

ଜୟପୁର: ପ୍ରେମ ପାଇଁ ସୀମା ପାର୍ । ପ୍ରେମିକକୁ ଭେଟିବାକୁ ସରହଦ ଡେଇଁ ପାକିସ୍ତାନରେ ପହଞ୍ଚିଛନ୍ତି ରାଜସ୍ଥାନର ମହିଳା । ଜୟପୁର ଯିବା ନାଁରେ ଘରୁ ବାହାରିଥିବା ବେଳେ ଏବେ ସେ ପାକିସ୍ତାନରେ । ଫେସବୁକରେ ପ୍ରେମ ପରେ ପାକିସ୍ତାନ ଖେବର-ପଖତୁନଖ୍ବାର ଯୁବକଙ୍କୁ ଭେଟିବାକୁ ସୀମା ପାର ହୋଇ ଯାଇଛନ୍ତି ଭିଓ୍ବାଡ଼ି ଜିଲ୍ଲାର ଅଞ୍ଜୁ । ସେ ସ୍ବାମୀ ଅରବିନ୍ଦ ଓ ପିଲାଙ୍କ ସହ ଭିଓ୍ବାଡ଼ିରେ ଭଡ଼ା ଘରେ ରହୁଥିଲେ ।

ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଅଞ୍ଜୁ ଜୟପୁର ଯିବା ବାହାନାରେ ଘରୁ ବାହାରିଥିଲେ । ହେଲେ ରବିବାର ସନ୍ଧ୍ୟାରେ ସ୍ବାମୀଙ୍କୁ ହ୍ବାଟସଆପରେ କଲ କରି, ଲାହୋର ଯାଉଥିବା କହିଥିଲେ । ଏହାଛଡ଼ା ୨ରୁ ୩ ଦିନ ମଧ୍ୟରେ ଫେରିଆସିବେ ବୋଲି ମଧ୍ୟ କହିଥିବା ତାଙ୍କ ସ୍ବାମୀ କହିଛନ୍ତି । ଗତ କିଛି ମାସ ତଳେ ଫେସବୁକରେ ଖୈବରର ନସରୁଲ୍ଲହାଙ୍କ ସହ ଅଞ୍ଜୁଙ୍କ ବନ୍ଧୁତା ହୋଇଥିଲା ।

ବିଦେଶରେ ଚାକିରି ଆବେଦନ କରିବା ପାଇଁ ସେ ପାସପୋର୍ଟ ବନାଇଥିଲେ ବୋଲି ତାଙ୍କ ସ୍ବାମୀ ଅରବିନ୍ଦ କହିଛନ୍ତି । ତେବେ ପାକିସ୍ତାନରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଡକୁମେଣ୍ଟ ଯାଞ୍ଚ ସରିବା ପରେ ଅଞ୍ଜୁଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।