୯୦୦କିମି ଦୂରରେ ରହୁଥିଲେ ଯାଆଁଳା ଭାଇ; ଗୋଟିଏ ସମୟରେ ସମାନ ଢ଼ଙ୍ଗରେ ଉଭୟଙ୍କ ମୃତ୍ୟୁ !

ଜୟପୁର: ଯାଆଁଳା ଭାଇଙ୍କ ଆଶ୍ଚର୍ଯ୍ୟଜନକ ମୃତ୍ୟୁ । ଗୋଟିଏ ସମୟରେ ଓ ସମାନ ତରିକାରେ ସେମାନଙ୍କ ମୃତ୍ୟୁ ଚର୍ଚ୍ଚାର କାରଣ ହୋଇଛି । ରାଜସ୍ଥାନ ବାର୍ମରର ଏହି ଯାଆଁଳା ଭାଇ ପରସ୍ପରଠାରୁ ୯୦୦ କିଲୋମିଟର ଦୂରରେ ରହିଥିଲେ ବି ସେମାନଙ୍କ ମୃତ୍ୟୁର ତରିକା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୁରଟରେ ଜଣେ ଭାଇ ଛାତରୁ ଖସି ପ୍ରାଣ ହରାଇଥିବାବେଳେ ଏକ ପାଣି ଟାଙ୍କିରେ ପଡି ଜୟପୁରରେ ଅନ୍ୟ ଜଣେ ଭାଇଙ୍କ ମୃତ୍ୟୁ ଘଟିଛି । ଦୁଇ ଭାଇ ସୁମେର ଓ ସୋହାନ ସିଂଙ୍କ ଶେଷକୃତ୍ୟ ଶୋକାକୁଳ ପରିବେଶରେ ଜନ୍ମମାଟି ସାର୍ନୋ କା ତାଲାଠାରେ କରାଯାଇଛି ।

ସୁରଟରେ ସୁମେର କାମ କରୁଥିବାବେଳେ ଜୟପୁରରେ ଶିକ୍ଷକଟିଏ ହେବା ଲାଗି ପ୍ରସ୍ତୁତି ଚଳାଇଥିଲେ ସୋହାନ । ଫୋନରେ କଥାହେଉଥିବାବେଳେ ସୁମେର ଖସିପଡି ପ୍ରାଣ ହରାଇଥିବା କୁହାଯାଇଛି । ଭାଇଙ୍କ ମୃତ୍ୟୁ ଖବର ଶୁଣି ସୋହାନ ପାଣି ଆଣିବା ଲାଗି ଘରଠାରୁ ୧୦୦ ମିଟର ଦୂରରେ ଥିବା ଏକ ପାଣି ଟାଙ୍କିକୁ ଯାଇଥିଲେ । ଦୀର୍ଘ ସମୟ ଧରି ନ ଆସିବାରୁ ତାଙ୍କୁ ପରିବାର ଖୋଜିଥିଲେ ଏବଂ ଟାଙ୍କିରୁ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ।

ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା । ବାଲ୍ୟକାଳରୁ ଦୁହିଁଙ୍କ ମଧ୍ୟରେ ନିବିଡ ବନ୍ଧନ ଥିଲା ଏବଂ ସୋହାନଙ୍କ ପଢାଖର୍ଚ୍ଚ ଲାଗି ସୁମେର ସୁରଟ ଯାଇ କାମ କରୁଥିଲେ । ସୋହାନ ଜଣେ ଶିକ୍ଷକ ହୁଅନ୍ତୁ ଏହା ଚାହୁଁଥିଲେ ସୁମେର । ତେବେ ସୋହାନଙ୍କ ଆତ୍ମହତ୍ୟା ସନ୍ଦେହକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ସିନ୍ଧାରୀ ଥାନା ଅଧିକାରୀ ।