ରାଜସ୍ଥାନ ପଲିଟିକ୍ସ, ଜେପି ନଡ୍ଡାଙ୍କୁ ଭେଟିବେ ସଚିନ୍‌ !

Rajasthan Politics, Sachin Pilot May Meet JP Nadda Today At Delhi

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ ହାତ ଛଡ଼ି ବିଜେପିରେ ଯୋଗଦେବା ନେଇ ଆଶଙ୍କା କରାଯାଇଛି । ସୋମବାର‌ ନୂଆ ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସଚିନ୍‌ ପାଇଲଟ୍‌ ଭେଟିବା କାର୍ଯ୍ୟକ୍ରମ ଥିବା ନେଇ ସୂଚନା ମିଳିବା ପରେ ଏନେଇ ଆଶଙ୍କା ବଢ଼ିଯାଇଛି । ଜେପି ନଡ୍ଡାଙ୍କ ସହ ଆଲୋଚନା ପରେ ସଚିନ୍‌ ବିଜେପି ମଙ୍ଗ ଧରିପାରନ୍ତି ବୋଲି ଆଶା କରାଯାଉଛି ।

ଏହା ପୂର୍ବରୁ କଂଗ୍ରେସର ଆଉ ଜଣେ ପାଓ୍ୱାରଫୁଲ୍‌ ଲିଡ୍‌ର ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ କଂଗ୍ରେସକୁ ଅଚାନକ ଝଟ୍‌କା ଦେଇ ବିଜେପିରେ ସାମିଲ ହୋଇଥିଲେ । ଏହାପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିଯାଇଥିଲା ଏବଂ ସେଠାରେ ବିଜେପି ସରକାର ଗଠନ କରିଥିଲା ।

ତେବେ ସଚିନ୍‌ଙ୍କ ପଛରେ ୩୦ ବିଧାୟକଙ୍କ ସମର୍ଥନ ଥିବା ସେ ଦାବି କରିଛନ୍ତି । ତେଣୁ ରାଜସ୍ଥାନ ସରକାର ସଂଖ୍ୟାଗରିଷ୍ଠତା ହରାଇଥିବା ସେ କହିଛନ୍ତି । ସଚିନ୍ ପାଇଲଟ୍ ତାଙ୍କ ସମର୍ଥକଙ୍କ ସହ ଦିଲ୍ଲୀରେ ଅଛନ୍ତି । ଯଦି ସେ ବିଜେପିରେ ସାମିଲ ହୁଅନ୍ତି, ତେବେ ରାଜସ୍ଥାନ ସରକାର ସଂକଟକୁ ଆସିପାରେ ।

ଦଳୀୟ ହ୍ୱିପ୍ ସତ୍ତ୍ୱେ ସୋମବାର ବିଧାୟକ ଦଳ ବୈଠକରେ ସଚିନ୍ ପାଇଲଟ୍ ଓ ତାଙ୍କ ସମର୍ଥକ ଯୋଗ ଦେବେନି ବୋଲି ଜଣାପଡିଥିବା ବେଳେ କଂଗ୍ରେସ ତାଙ୍କୁ ମନାଇବା ମୁଡ୍‌ରେ ମଧ୍ୟ ନାହିଁ ବୋଲି କୁହାଯାଉଛି । କଂଗ୍ରେସ ପକ୍ଷରୁ କଡ଼ା ଆଭିମୁଖ୍ୟ ଦେଖାଯାଇଛି । ବୈଠକରେ ଯୋଗ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦଳ ସଚିନ୍‌ ଏବଂ ଟିମ୍‌କୁ ଚେତାବନୀ ଦେଇଛି ।

ସେପଟେ ଓ୍ୱେଟ୍‌ ଆଣ୍ଡ ଓ୍ୱାଚ୍‌ ମୋଡ୍‌ରେ ରହିଛି ବିଜେପି । ପୂରା ଘଟଣା ଉପରେ ନଜର ରଖିବା ସହ ରାଜନୈତିକ ଦୃଷ୍ଟିକୋଣରୁ ତର୍ଜମା କରୁଛି । ୨ଶହ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ କଂଗ୍ରେସର ୧୦୭ ବିଧାୟକ ଥିବା ବେଳେ ୧୩ ସ୍ୱାଧୀନ ଓ ଜଣେ ଆରଏଲ୍‌ଡି ବିଧାୟକଙ୍କ ସମର୍ଥନ ରହିଛି । ସେହିଭଳି ବିଜେପି ପାଖରେ ମଧ୍ୟ ୭୨ ବିଧାୟକ ରହିଥିବା ଜଣାପଡ଼ିଛି ।

ଅନ୍ୟପଟେ ଗେହଲଟ୍‌ ଟିମ୍‌ର ଅଭିନାଶ ପାଣ୍ଡେ ଦାବି କରିଛନ୍ତି ଯେ, କଂଗ୍ରେସ ପାଖରେ ୧୦୯ ବିଧାୟକଙ୍କ ସମର୍ଥନ ରହିଛି । ତେଣୁ ରାଜସ୍ଥାନ ସରକାର ପ୍ରତି କୌଣସି ବିପଦ ନାହିଁ ସେ କହିଛନ୍ତି ।

ରବିବାର ବିଳମ୍ବିତ ରାତିରେ ଅଶୋକ ଗେହଲଟ୍‌ଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ପ୍ରାୟ ୭୫ ବିଧାୟକ ଯୋଗ ଦେଇଥିଲେ । ତେବେ ସଚିନ ପାଇଲଟ୍ କିମ୍ବା ତାଙ୍କ ସମର୍ଥିତ ବିଧାୟକ ସାମିଲ ହୋଇନଥିଲେ ।

Leave a Reply