Rajasthan Political Drama : ଆଜି ଜଜମେଣ୍ଟ୍ ଡେ, ରାୟ ଆଗରୁ ସଚିନଙ୍କୁ ଘର ବାହୁଡା ଅଫର
ନୂଆଦିଲ୍ଲୀ: ରାଜସ୍ଥାନ ରାଜନୈତିକ ପାଲା ମଧ୍ୟରେ ଆଜି ଆସୁଛି ହାଇକୋର୍ଟଙ୍କ ରାୟ । ହାଇକୋର୍ଟଙ୍କ ରାୟ ଉପରେ ନିର୍ଭର କରିବ ସଚିନ ପାଇଲଟ ଓ ତାଙ୍କ ଗ୍ରୁପର ବର୍ତ୍ତମାନର ରାଜନୈତିକ ଭବିଷ୍ୟତ । ହାଇକୋର୍ଟ ଆଜି ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ ଉପରେ ନିଜ ରାୟ ଦେବେ । ବିଧାନସଭା ବାଚସ୍ପତିଙ୍କ ନୋଟିସ ବିରୋଧରେ ସଚିନ ଓ ତାଙ୍କ ସମର୍ଥକ ବିଧାୟକ ହାଇକୋର୍ଟ ଯାଇଥିଲେ । ହାଇକୋର୍ଟ ଜୁଲାଇ ୨୪ ପର୍ଯ୍ୟନ୍ତ ବାଚସ୍ପତିଙ୍କୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କହିଥିଲେ । ହାଇକୋର୍ଟଙ୍କ ଆଦେଶ ବିରୋଧରେ ବାଚସ୍ପତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ । ହାଇକୋର୍ଟଙ୍କ ରାୟ ଆସିବା ପରେ ମାମଲାର ପରବର୍ତ୍ତି ଶୁଣାଣି ସୋମବାର ଦିନ ହେବ ବୋଲି ସୁପ୍ରିମକୋର୍ଟ ଗୁରୁବାର ଦିନ କହିଥିଲେ ।
ମୁଁ ତାଙ୍କୁ ସ୍ୱାଗତ କରିବି
ହାଇକୋର୍ଟଙ୍କ ରାୟ ଉପରେ ସବୁ ପକ୍ଷର ନଜର ଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ କହିଛନ୍ତି ଯେ, ସଚିନ ପାଇଲଟ୍ ଯଦି ପୁଣିଥରେ କଂଗ୍ରେସ ଉପରେ ବିଶ୍ୱାସ ପ୍ରକଟ କରନ୍ତି ତେବେ ତାଙ୍କୁ ଦଳକୁ ନିଆଯିବ । ଏକ ଇଂରାଜୀ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ଗହଲୋତ ପାଇଲଟଙ୍କ ଘର ବାହୁଡାକୁ ନେଇ ନିଜ ମତ ରଖିଛନ୍ତି । ସେ କହିଛନ୍ତି ଯେ, ସଚିନ ପାଇଲଟଙ୍କ ଭବିଷ୍ୟତକୁ ନେଇ କଂଗ୍ରେସ ହାଇକମାଣ୍ଡ୍ ନିଷ୍ପତ୍ତି ନେବେ । ଯଦି ସେ ପୁଣିଥରେ କଂଗ୍ରେସ ଉପରେ ବିଶ୍ୱାସ ବ୍ୟକ୍ତ କରିବେ ତେବେ ମୁଁ ତାଙ୍କୁ ସ୍ୱାଗତ କରିବି ।
ସରକାର ସୁରକ୍ଷିତ
ଅଶୋକ ଗହଲୋତ କହିଛନ୍ତି ଯେ, ତାଙ୍କ ସରକାର ସୁରକ୍ଷିତ ଅଛି । ସେ କହିଛନ୍ତି ଯେ, ଏହି ସଂକଟ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ନେଇ ସୃଷ୍ଟ ନୁହେଁ । ଏହି ସମସ୍ୟା ସଚିନ ପାଇଲଟ ଓ ମୋ ଦଳର ବିଧାୟକଙ୍କର ଗୋଟିଏ ଛୋଟ ଗୋଷ୍ଟୀର ଅତି ମହତ୍ୱାକାଂକ୍ଷା କାରଣରୁ ଉତ୍ପନ ହୋଇଛି । ରାଜସ୍ଥାନରେ କଂଗ୍ରେସ ସରକାର ପାଖରେ ପୁର୍ଣ୍ଣ ସଂଖ୍ୟାଗରିଷ୍ଠତା ରହିଛି । ଆମକୁ ଅନ୍ୟଙ୍କ ସମର୍ଥମ ମଧ୍ୟ ମିଳିଛି । ତେଣୁ ଏହି ସରକାର ସଂପୂର୍ଣ୍ଣ ଭାବେ ସ୍ଥିର ଓ ସୁରକ୍ଷିତ । ଏହା ନିଜ ପୂର୍ଣ୍ଣ କାର୍ଯ୍ୟକାଳ ପୁରା କରିବ ।
ସଚିନଙ୍କୁ ଅଯୋଗ୍ୟ କହିଥିଲେ
ସଚିନଙ୍କୁ ପୁଣିଥରେ ସ୍ୱାଗତ କରିବେ ବୋଲି କହିଥିବା ଗହଲୋତ କିନ୍ତୁ କିଛି ଦିନ ତଳେ ତାଙ୍କୁ ଅଯୋଗ୍ୟ,ଅଦରକାରୀ ଓ ଅବିଶ୍ୱାସୀ ବୋଲି କହିଥିଲେ । ସଚିନ କିଛି କାମ କରୁନଥିଲେ,ତାଙ୍କ ଦ୍ୱାରା କିଛି କାମ ହେବ ନାହିଁ ବୋଲି କହିଥିଲେ । କେବଳ ଏତିକି ନୁହେଁ କିଛି ଦିନ ତଳେ ସେ ସଚିନଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ, ଭଲ ଇଂଲିସ କହିବା ଦ୍ୱାରା କିମ୍ବା ଭଲ ଚେହେରା ହୋଇଗଲେ ଜଣେ ଭଲ ନେତା ହୋଇଯିବେନି ।