Rajasthan Political Crisis : କରୋନା କାରଣରୁ ବିଧାନସଭା ଅଧିବେଶନ ଡାକିବାକୁ ମନା କଲେ ରାଜ୍ୟପାଳ !

ଜୟପୁର: ରାଜସ୍ଥାନ ରାଜନୈତିକ ସଂକଟ ଭିତରେ ଏବେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ରାଜନୈତିକ ଯୁଦ୍ଧ ଆରମ୍ଭ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଗହଲୋତ ପତ୍ର ଲେଖିଥିଲେ  । ଏନେଇ ସେ ଆଜି ରାଜ୍ୟପାଳଙ୍କୁ ସାକ୍ଷାତ ମଧ୍ୟ କରିବାକୁ ଯାଇଥିଲେ । କିନ୍ତୁ ଯାହା ଖବର ଆସୁଛି ତାହା ଅନୁସାରେ ରାଜ୍ୟପାଳ କଲରାଜ ମିଶ୍ର ବିଧାନସଭା ଅଧିବେଶନ ଡାକିବାକୁ ମନା କରିଦେଇଛନ୍ତି । ଏଥିପାଇଁ ରାଜ୍ୟପାଳ କରୋନା ସଂକଟକୁ କାରଣ ଭାବେ ଦର୍ଶାଇଛନ୍ତି ବୋଲି କୁହାଯାଉଛି ।

ମିଳୁଥିବା ସୂଚନା ଅନୁସାରେ ରାଜ୍ୟପାଳ କହିଛନ୍ତି ଯେ, ବିଜେପି ଓ କଂଗ୍ରେସ ବିଧାୟକ ଏବେ କରୋନା ଦ୍ୱାରା ପୀଡିତ ଅଛନ୍ତି । ଏମିତିରେ ବିଧାନସଭା ଅଧିବେଶନ ଡାକିବା ଠିକ୍ ହେବ ନାହିଁ । ଏହାର ଅର୍ଥ ହେଉଛି ହାଇକୋର୍ଟରୁ ଝଟକା ପାଇଥିବା ଗହଲୋତଙ୍କୁ ଏବେ ରାଜ୍ୟପାଳ ମଧ୍ୟ ଝଟକା ଦେଇଛନ୍ତି ।

ଏଭଳି ପରିସ୍ଥିତିରେ ଅଶୋକ ଗହଲୋତ ସରକାର ସୁପ୍ରିମକୋର୍ଟର ଶରଣ ପସିବା ସମ୍ଭାବନା ରହିଛି । ଯେଉଁଥିରେ ତତ୍କାଳ ବିଧାନସଭା ଅଧିବେଶନ ଡାକିବା ଓ ଫ୍ଲୋରଟେଷ୍ଟ୍ କଥା କୁହାଯାଇପାରେ । ଏବେ ଅଶୋକ ଗହଲୋତଙ୍କ ସାମ୍ନାରେ ସ୍ଥିତି ମୁସ୍କିଲ ହେବାରେ ଲାଗିଛି । କାରଣ ତାଙ୍କ ନିଜ ସମର୍ଥକ ମଧ୍ୟ ତୁରନ୍ତ ଶକ୍ତିପରୀକ୍ଷଣ ଦାବି କରୁଛନ୍ତି । ହୋଟେଲରେ ଅଧିକ ଦିନ ରହିବାକୁ ଏହି ବିଧାୟକ ମାନେ ରାଜି ନାହାନ୍ତି ।

rajasthan governor

ରାଜ୍ୟପାଳଙ୍କୁ ଧମକ

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ରାଜନୈତିକ ଟଣା ଓଟରା ଆରମ୍ଭ ହେବାର ସଂକେତ ରାଜଭବନକୁ ଯିବା ଆଗରୁ ମୁଖ୍ୟମନ୍ତ୍ରୀ ଦେଇଥିଲେ । ଯେଉଁ ହୋଟେଲରେ ଗହଲୋତ ସମର୍ଥକ ବିଧାୟକ ରହୁଛନ୍ତି ତାହାରି ଆଗରେ ସାମ୍ବାଦିକଙ୍କୁ ଦେଇଥିବା ସାକ୍ଷାତକାରରେ ସେ ରାଜଭବନ ଘେରାଉ କଥା କହିଥିଲେ । ସେ କହିଥିଲେ ଯେ, ‘‘ଆମେ ମାନନୀୟ ରାଜ୍ୟପାଳଙ୍କୁ ଚିଠି ଲେଖି ବିଧାନସଭା ଅଧିବେଶନ ଡକାଇବାକୁ ଅନୁରୋଧ କରିଥିଲୁ । ସେ ରାତିରେ ହିଁ ଆଦେଶ ଦେବେ ବୋଲି ଆମେ ଆଶା କରିଥିଲୁ । କିନ୍ତୁ ଏପର୍ଯ୍ୟନ୍ତ ସେ ସେମିତି କିଛି ଆଦେଶ ଦେଇ ନାହାନ୍ତି । ଆମକୁ ଲାଗୁଛି ଉପରୁ ତାଙ୍କ ଉପରେ ଚାପ ପଡୁଛି । ଜନତା ଯଦି ରାଜଭବନକୁ ଘେରାଉ କରେ ତେବେ ଆମେ ସେଥିପାଇଁ ଦାୟୀ ରହିବୁ ନାହିଁ’’

Leave a Reply