ରାଜସ୍ଥାନ ହାଇଡ୍ରାମାର ଅବିକଳ ଘଟଣା ଘଟିଥିଲା ୨୭ ବର୍ଷ ତଳେ, ତା’ ପୁଣି ରାଜସ୍ଥାନରେ….ଜାଣନ୍ତୁ ପୁରା କାହାଣୀ

ଇତିହାସର ପୁନରାବୃତି ହୁଏ । ଅନେକ ସମୟରେ ଏସବୁ ଅବିକଳ ହୋଇ ଫେରିଆସେ । ରାଜସ୍ଥାନ ରାଜନୀତିକ ଘଟଣାକ୍ରମକୁ ରାଜନୀତିଜ୍ଞମାନେ ବିଭିନ୍ନ ଦୃଷ୍ଟିକୋଣରୁ ସମାଲୋଚନା ଓ ପ୍ରଶଂସା କରୁଛନ୍ତି । କଂଗ୍ରେସ ବିଧାୟକ ଦଳ ରାଜ୍ୟପାଳ କଲରାଜ ମିଶ୍ରଙ୍କ ବାସଭବନ ଆଗରେ ବସି ନିଜ ଦାବି ଉପସ୍ଥାପିତ କରିବା ପରେ ରାଜନୀତିକ ଚର୍ଚ୍ଚା ଏବେ ରାଜସ୍ଥାନରେ ଶୀର୍ଷରେ ରହିଛି । ତେବେ ଏଭଳି ଘଟଣା ରାଜସ୍ଥାନର ରାଜନୀତିକ ଇତିହାସରେ ନୂଆ କଥା ନୁହେଁ । କ୍ଷମତାକୁ ବଞ୍ଚାଇ ରଖିବା ପାଇଁ ଏଭଳି ଏକ ଘଟଣା ଘଟିଥିଲା ଠିକ୍ ୨୭ ବର୍ଷ ତଳେ । ରାଜସ୍ଥାନର ‘ଏକ ହି ସିଂହ’ ବୋଲାଉଥିବା ଭୈରବ ସିଂ ସେଖାୱତ୍ ସରକାର ଗଠନ ପାଇଁ ଦଳର ବିଧାୟକମାନଙ୍କୁ ଧରି ରାଜଭବନ ଆଗରେ ଧାରଣା ଦେଇଥିଲେ । ପୁଣି ସରକାର ଗଠନ ପାଇଁ ନିମନ୍ତ୍ରଣ କରିବାକୁ ରାଜ୍ୟପାଳଙ୍କୁ ବାଧ୍ୟ କରିଥିଲେ । ଭାଜପା ନେତା ଭୈରବ ସିଂ ସେଖାୱତଙ୍କର ଏହି ପଲିଟିକାଲ ଡ୍ରାମା ୧୯୯୩ ମସିହାରେ ଘଟିଥିଲା ।

ଗହଲୋତ୍ କାହିଁକି ରାଜଭବନ ଆଗରେ ଧାରଣା ଦେଲେ ?

ଘଟଣା ଆରମ୍ଭ ହୋଇଥିଲା ସଚିନ ପାଇଲଟଙ୍କ ଦଳ ବିରୋଧୀ ମନ୍ତବ୍ୟ ଓ ଆଭିମୁଖ୍ୟ ଦୃଢ ହେବା ପରେ । ଅଶୋକ ଗହଲୋତଙ୍କ କହିବା ଅନୁଯାୟୀ ସଟିନ ପାଇଲଟ ରାଜସ୍ଥାନରେ କଂଗ୍ରେସ ସରକାର ହଟାଇବା ପାଇଁ ଉଦମ୍ୟ କରୁଥିଲେ ଓ ବିଜେପି ସହ ମିଶି ଦଳ ବିରୋଧରେ ଚକ୍ରାନ୍ତ କରୁଥିଲେ । ଏହାପରେ କଂଗ୍ରେସ ସଚିନ ପାଇଲଟଙ୍କୁ ଦଳରୁ ବରଖାସ୍ତ କରିବା ସହ ଦଳର ପ୍ରଦେଶ ଅଧ୍ୟକ୍ଷ ଓ ଉପ ମୁଖ୍ୟମନ୍ତ୍ରୀ ପଦରୁ ମଧ୍ୟ ବହିଷ୍କାର କରିଥିଲେ । ରାଜନୀତିକ ଡ୍ରାମା ଏହା ପରେ ଜୋର୍ ଧରିଥିଲା । ସଚିନ ପାଇଲଟ୍ ଓ ତାଙ୍କ ସମର୍ଥକଙ୍କର ବିଧାନସଭା ସଦସ୍ୟତା ପଦ ରଦ୍ଧ କରିବା ପାଇଁ ଅଶୋକ ଗହଲୋତ୍ ଅଡି ବସିଲେ । ମାମଲା କୋର୍ଟକୁ ଯିବା ପରେ ଏବେ ସଚିନ ପାଇଲଟ ଗୋଷ୍ଠୀଙ୍କୁ ସାମୟିକ ଆଶ୍ୱସ୍ଥି ମିଳିଛି । ହାଇକୋର୍ଟ ବାଚସ୍ପତିଙ୍କ ହସ୍ତକ୍ଷେପକୁ ଅସ୍ଥାୟୀ ଭାବେ ଆକାମୀ କରିବା ପରେ ସଚିନଙ୍କ ବିରୋଧରେ ସାମ୍ୱିଧାନିକ ପଦକ୍ଷେପ ନେବା ସମ୍ଭବ ହୋଇପାରୁ ନାହିଁ । ଏଣୁ ଗହଲୋତ୍ ବିକଳ୍ପ ଖୋଜି ବିଧାନସଭା ଅଧିବେଶନର ଦାବି କରିଛନ୍ତି । ତାଙ୍କ ବୁଝିବା ଏହା ଯେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରି ସେ ସରକାର ବଞ୍ଚାଇବା ସହ  ହ୍ୟୁଇପ୍ ଆଧାରରେସଚିନ ପାଇଲଟଙ୍କ ସଦସ୍ୟତା ଅସାମ୍ୱିଧାନିକ ବୋଲି ଘୋଷଣା କରାଇ ପାରିବେ । ତେବେ ରାଜ୍ୟପାଳ କଲରାଜ ମିଶ୍ର ଏଭଳି ଏକ ରାଜନୀତିକ ଅସ୍ଥିରତା ମଧ୍ୟରେ ବିଧାନସଭା ଅଧିବେଶନ ପାଇଁ ରାଜି ନଥିବା ସ୍ପଷ୍ଟ କରିବା ପରେ ଗହଲୋତ୍ ସମସ୍ୟା ଭିତରେ ଫସିଥିଲେ । ତେବେ ଶୁକ୍ରବାର ଗହଲୋତ୍ ବିଧାନସଭା ଅଧିବେଶନ ଦାବି କରି କଂଗ୍ରେସ ବିଧାୟକମାନଙ୍କୁ ଧରି ରାଜଭବନ ଆଗରେ ବସିଥିଲେ ।

ବିଜେପି ନେତା କଂଗ୍ରେସର ରାଜଭବନ ଘେରାଉ ନିଷ୍ପତ୍ତିକୁ ସମାଲୋଚନା କରୁଛନ୍ତି । କିଛି ତ ରାଜଭବନରେ ସିଆରପିଏଫ୍ ମୁତୟନ କରିବା ପାଇଁ ଅପିଲ୍ କରିଛନ୍ତି । ତେବେ ସତରେ କ’ଣ ଏଭଳି ଘଟଣା ରାଜସ୍ଥାନ ରାଜନୀତିରେ ନୂଆ ?

ଉତ୍ତର ନିହାତି ପକ୍ଷେ ନା’ ।  ଏଭଳି ଏକ ଘଟଣା ଘଟିଥିଲା ୧୯୯୩ ମସିହାରେ । ରାଜନୀତିକ ଲଢେଇରେ ଏବେ ମଇଦାନରେ ଥିବା ବିଜେପି ଓ କଂଗ୍ରେସ ସେବେ ମଧ୍ୟ ସାମ୍ନା ସାମ୍ନା ଥିଲେ । ଫରକ୍ କେବଳ ଏତିକି, ଏବେ କଂଗ୍ରେସ ଯେଉଁ ସ୍ଥିତିରେ ରହିଛି ୨୭ ବର୍ଷ ତଳେ ବିଜେପି ସମାନ ସ୍ଥିତିରେ ଥିଲା ଆଉ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ପାଖରେ ଦାବି କରୁଥିଲା । ଏଥିପାଇଁ ଭୈରବ ସିଂ ସେଖାୱତଙ୍କ ନେତୃତ୍ୱରେ ବିଜେପି ବିଧାୟକ ଦଳ ରାଜଭବନ ଆଗରେ ଧାରଣା ଦେଇଥିଲା ।

କାହିଁକି ୨୭ବର୍ଷ ପୂର୍ବେ ଘଟିଥିବା ଏଭଳି ଘଟଣା?

୧୯୯୦ରେ ରାଜସ୍ଥାନରେ ବିଜେପି ବିପୁଳ ଭୋଟରେ ବିଜୟ ଲାଭ କରିଥିଲା  । ଶାସନର ମାତ୍ର ଦୁଇ ବର୍ଷ ପରେ ୧୯୯୨ ମସିହାର ବହୁଚର୍ଚ୍ଚିତ ବାବରି ମସଜିଦ୍ ବିଧ୍ୱସଂ ଘଟଣା ଘଟିଥିଲା । ଏହା ପରେ କେନ୍ଦ୍ର ଶାସିତ ପିଭି ନରସିଂହ ରାଓଙ୍କ କଂଗ୍ରେସ ସରକାର ରାଜସ୍ଥାନ ଶାସନକୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଲାଗୁ କଲେ । ଖୁବ୍ ଶୀଘ୍ର, ୧୯୯୩ରେ ପୁଣି ଥରେ ରାଜ୍ୟ ବିଧାନସଭା ନିର୍ବାଚନ ହେଲା । ବିଜେପି ପୁଣି ଥରେ ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ନିର୍ବାଚିତ ହେଲା  । ହେଲେ, ଏଥରର ସମସ୍ୟା ଭିନ୍ନ ଥିଲା  । ଦଳ ପାଖରେ ସରକାର ଗଠନ ପାଇଁ ଆବଶ୍ୟକୀୟ ମ୍ୟାଜିକ୍ ନମ୍ୱର ନଥିଲା । ସମୁଦାୟ ୧୯୯ ଆସନରୁ ଭାଜପା ୯୫, କଂଗ୍ରେସ ୭୬ ଆସନ ହାତେଇଥିବେ ସ୍ୱାଧୀନ ଭାବେ ନିର୍ବାଚିତ ବିଧାୟକଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିଲା । ତେବେ ବିଜେପିକୁ କ୍ଷମତା ଅଳିନ୍ଦରୁ ରୋକିବା ପାଇଁ କଂଗ୍ରେସ ୨୧ ସ୍ୱାଧୀନ ବିଧାୟକଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଜୋରସୋରରେ ପ୍ରୟାସ କଲା । ଏଭଳି ସ୍ଥିତିରେ ହରିୟାଣା ମୁଖ୍ୟମନ୍ତ୍ରୀ ଭଜନଲାଲ ମଧ୍ୟ ଘୋଡାବେପାରରେ ସକ୍ରିୟ ଥିବା ବିଜେପି ନେତା ଅଭିଯୋଗ କରିଥିଲେ । ୨୯ ନଭେମ୍ୱର ୧୯୯୩ରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଭୈରବ ସିଂ ସେଖାୱତଙ୍କୁ ବିଧାୟକ ଦଳର ନେତା ବାଛିବା ପରେ ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ପଠାଯାଇଥିଲା । ସରକାର ଗଠନ ପାଇଁ ବିଜେପିକୁ ଆମନ୍ତ୍ରଣ କରିବା ପାଇଁ ଦାବି ପତ୍ରରେ ଦାବି ରଖାଯାଇଥିଲା । ଏହାର ଠିକ୍ ପରଦିନ ୫ଜଣ ସ୍ୱାଧୀନ ବିଧାୟକଙ୍କର ସମର୍ଥନ ପତ୍ରକୁ ମଧ୍ୟ ବିଜେପି ରାଜ୍ୟପାଳଙ୍କ ପାଖକୁ ପଠାଇଥିଲେ । ତେବେ ସେସମୟର ରାଜ୍ୟପାଳ ବଳିରାମ ଭଗତ ବିଜେପିର ଦାବିପତ୍ର ଉପରେ କୌଣସି ପ୍ରତିକ୍ରିୟା ରଖିନଥିଲେ । ବାଧ୍ୟ ହୋଇ ଏହାର ପାଞ୍ଚଦିନ ପରେ ଭୈରବ ସିଂ ସେଖାୱତଙ୍କ ନେତୃତ୍ୱରେ ବିଧାୟକମାନେ ରାଜଭବନ ଆଗରେ ଧାରଣା ଦେଇଥିଲେ ।

ଏଭଳି ଘଟଣା ରାଜ୍ୟ ରାଜନୀତିକୁ ଅସ୍ଥିର କରୁଥିଲେ ମଧ୍ୟ ଭିନ୍ନ ଭିନ୍ନ ସମୟରେ କ୍ଷମତାର ପରିଧି ମଧ୍ୟରେ ନିଜ ଅସ୍ଥିତ୍ୱକୁ ଜାହିର କରିବା ପାଇଁ ଏଭଳି ହୋଇ ଆସୁଛି ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ରଖୁଛନ୍ତି ।

Leave a Reply