‘ସରକାର ଭାଙ୍ଗିବାକୁ ବଳ ଗୋଟାଉଛି ବିଜେପି , ପାଇଲଟ ପାଲଟିଛି ବି-ଟିମ ’

1 min read

ଜୟପୁର: ପୁଣି ରାଜସ୍ଥାନ ରାଜନୀତିକୁ ମାଡି ଆସିଲାଣି ଅସ୍ଥିରତାର ଅମାବାସ୍ୟା । ଅବିଶ୍ୱାସର ଅମା ଅନ୍ଧକାର ଭିତରେ ଖୋଦ ନିଜ ଦଳର ନେତା । ନିଜ ଘର ଢିଙ୍କି ହିଁ, ସାଜିଛି କୁମ୍ଭୀର । ଏମିତି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ । ରାଜ୍ୟରେ ସରକାର ଭାଙ୍ଗିବା ପାଇଁ ବିଜେପି ପୁନର୍ବାର ଚକ୍ରାନ୍ତ ଆରମ୍ଭ କରିଦେଇଥିବା କହିଛନ୍ତି ଅଶୋକ ।

ମହାରାଷ୍ଟ୍ର ଭଳି ରାଜସ୍ଥାନରେ ଅସ୍ଥିରତା ସୃଷ୍ଟି କରିବାକୁ ଅମିତ ଶାହା ଖେଳ ଆରମ୍ଭ କରିଦେଇଛନ୍ତି । ଏହି ଖେଳର କ୍ୟାପଟେନ ସାଜିଛନ୍ତି ଖୋଦ କଂଗ୍ରେସ ନେତା । ରାଜ୍ୟ ଦାୟିତ୍ବରେ ଥିବା ପ୍ରଭାରୀ ଅଜୟ ମାକେନ ହିଁ ସରକାର ଭାଙ୍ଗିବାର ସୂତ୍ରଧାର ପାଲଟିଥିବା ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କଂଗ୍ରେସର ଯୁବ ନେତୃତ୍ବ ତଥା ଚର୍ଚ୍ଚିତ ଚେହେରା ସଚିନ ପାଇଲଟଙ୍କୁ ବିରୋଧରେ ପୁନର୍ବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅଶୋକ ।

ଅଶୋକ ଗେହଲଟଙ୍କ ଅଭିଯୋଗ, ଅମିତ ଶାହା କଂଗ୍ରେସର ବିଧାୟକଙ୍କୁ ବସାଇ ଚା-ବିସ୍କୁଟ ଖୁଆଉଛନ୍ତି । ଏବଂ କହୁଛନ୍ତି ରାଜସ୍ଥାନରେ ସୁନିଶ୍ଚିତ ସରକାର ଭାଙ୍ଗିବେ । ସେପଟେ ଦଳର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଆମ ବିଧାୟକଙ୍କୁ ପରିବର୍ତ୍ତନ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ରାଜସ୍ଥାନର ଲୋକେ କଂଗ୍ରେସ ସରକାରକୁ ସତ୍ତାରେ ଦେଖିବାକୁ ଚାହୁଁଥିବାବେଳେ ବିଜେପି କ୍ଷମତାର ଅପବ୍ୟବହାର କରୁଛି । କିଛି କଂଗ୍ରେସର କୁଚକ୍ରୀ ଗୋଷ୍ଠୀ କ୍ଷମତା ପାଇଁ ଲୁଚି ଛପି ବିଜେପି ଶରଣରେ ପଶିଥିବା କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

Leave a Reply