ପୁଣି ଗଭୀର କୂଅକୁ ଖସିପଡିଲା ଶିଶୁ, ଉଦ୍ଧାର ପାଇଁ ଚାଲିଛି ପ୍ରୟାସ
ଜୟପୁର: ୨୦୦ ଶହ ଫୁଟ ଗଭୀର କୂଅକୁ ଖସିପଡ଼ିଲା ୨ବର୍ଷର ଶିଶୁ କନ୍ୟା । ପୁଣି ଏକ ଛାତିଥରା ଘଟଣା ଘଟିଛି । ରାଜସ୍ଥାନରେ ଦେଖିବାକୁ ମିଳିଛି ଛତିଶଗଡ଼ର ଘଟଣା । କୁନି ନିରୀହ ଛୁଆଟି ଖେଳୁଥିବା ବେଳେ ଗଭୀର କୂଅ ଭିତରକୁ ଗଳି ପଡିଛି । ଗାତକୁ ଖସିଯିବା ପରେ କାନ୍ଦିବାକୁ ଲାଗିଥିଲା ଶିଶୁକନ୍ୟା । ପିଲାଟିର କାନ୍ଦ ଶୁଣି ପରିବାର ଲୋକେ ଦେଖିବାକୁ ପାଇଥିଲେ ଯେ ଗଭୀର କୂଅ ଭିତରେ ଖସି ପଡିଛି ଅଙ୍କିତା ନାମ୍ନୀ ଶିଶୁ କନ୍ୟା ।
ଏହାପରେ ସ୍ଥାନୀୟ ପ୍ରଶାସନକୁ ତୁରନ୍ତ ଖବର ଦେଇଥିଲେ ଗ୍ରାମବାସୀ । ପ୍ରଶାସନ ମଧ୍ୟ ଯଥା ସମ୍ଭବ ସେଠାରେ ପହଁଛି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଝିଅଟିକୁ ଉଦ୍ଧାର କରିବା ପାଇଁ ପ୍ରଶାସନ ସମସ୍ତ ପ୍ରକାର କାର୍ଯ୍ୟ ଆରମ୍ଭ କରିଛି । ରାଜ୍ୟ ପ୍ରଶମନ ବିଭାଗକୁ ସୂଚନା ଦେବା ସହ ଏକ ରେସ୍କ୍ୟୁ ଟିମକୁ ଡକାଇଛି । ସେପଟେ କୂଅଟିର ଗଭୀର ୨ଶହ ଫୁଟ ରହିଥିବାବେଳେ ଶିଶୁ କନ୍ୟାଟି ୧୦୦ ଫୁଟରେ ଅଟକି ରହିଥିବା ଜାଣିବାକୁ ମିଳିଛି ।
କୂଅ ଭିତରକୁ ସିସି କ୍ୟାମେରା ଛଡ଼ାଯିବା ସହ ପିଲାଟିର ଗତିବିଧି ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି । ସେହିପରି କୂଅ ଭିତରକୁ ପାଇପ୍ ମାଧ୍ୟମରେ ଅକ୍ସିଜେନ ଛଡା ଯାଇଛି । ଯେପରି ପିଲାଟିର ନିଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ନଉପୁଜେ ତାହା ଉପରେ ପ୍ରାଧାନ୍ୟ ଦିଆଯାଇଛି । ଘଟଣାସ୍ଥଳରେ ଜେସିବି ମେସିନ ସାମାନ୍ତରୋଳ ଭାବେ ଅନ୍ୟ ଏକ ଗାତ ଖୋଳିବା ଆରମ୍ଭ କରିଥିବାବେଳେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ରହି ସମସ୍ତ ଦିଗକୁ ନଜର ରଖିଛନ୍ତି ।