spot_img

Latest Posts

ଭିଲୱାଡାର ଏହି ମଡେଲ୍ ପରାସ୍ତ କରିଛି କରୋନାକୁ ! ସମଗ୍ର ଦେଶରେ ହୋଇପାରେ କାର୍ଯ୍ୟକାରି

ଭିଲୱାଡା: ରାଜସ୍ଥାନର ଭିଲୱାଡା ମଡେଲ୍ କରୋନା ଭାଇରସ ସହ ମୁକାବିଲା ନେଇ ଦେଶ ପାଇଁ ଏକ ଉଦହାରଣ ହୋଇପାରିବ। ଯେତେବେଳେ ଭିଲୱାଡାରେ କରୋନାର ପ୍ରଥମ ପଜିଟିଭ ମାମଲା ସାମ୍ନାକୁ ଆସିଲା, ସେତେବେଳେ ଲାଗିଲା ଯେମିତି ଭିଲୱାଡା ଭାରତର ଦ୍ୱିତୀୟ ଇଟାଲୀ ହେବାକୁ ଯାଉଛି। ଗହଲୋତ୍ ସରକାର ତୁରନ୍ତ ଆକ୍ସନ ମୋଡ୍ କୁ ଆସିଥିଲେ ଓ ସମଗ୍ର ସହରରେ କର୍ଫ୍ୟୁ ଲାଗୁ କରି ସୀମାକୁ ସିଲ୍ କରିଥିଲେ । ଏହା ପରେ ଡାକ୍ତରଙ୍କ ସହାୟତାରେ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଯାଇଥିଲା । ଫଳରେ ଭିଲୱାଡାରେ ଏହା ବ୍ୟାପିବା ବନ୍ଦ ହୋଇଥିଲା । କରୋନା ଆକ୍ରାନ୍ତ ସଂଖ୍ୟା ୨୭ ରେ ଅଟକି ଯାଇଥିଲା। କରୋନା ସହ ଲଢିବା ପାଇଁ ଭିଲୱାଡା ମଡେଲକୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଇପାରିବ।

ଭିଲୱାଡାର ଏକ ଘରୋଇ ହସ୍ପିଟାଲରେ କରୋନା ପଜିଟିଭ୍ କେସ ସାମ୍ନାକୁ ଆସିଥିଲା ।  ସେହି ଡାକ୍ତରଖାନାର ଅନେକ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ। ଏହା ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରାଇଥିଲା । ସମଗ୍ର ସହରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । କାରଣ ଡାକ୍ତର ମାନେ ଚିକିତ୍ସା କାଳରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବେ,ଏହି ଭାବନା ସମସ୍ତଙ୍କୁ ଡରାଇ ଦେଇଥିଲା ।
ତେବେ ଏହି ମାମଲା ସାମ୍ନାକୁ ଆସିବା ମାତ୍ରେ ରାଜସ୍ଥାନର ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ଦେଶର ପ୍ରଥମ  ସହର ଭାବେ ଭିଲୱାଡାରେ  କର୍ଫ୍ୟୁ ଲାଗୁ କରିଥିଲେ। ରାଜସ୍ଥାନର ୧୬ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କ ଏକ ଟିମ୍ ଭିଲୱାଡା ସହରକୁ ପଠାଯାଇଥିଲା ଯେଉଁଠାରେ କର୍ଫ୍ୟୁ ସମୟରେ ଘର ଦ୍ୱାରରୁ ସ୍କ୍ରିନିଂ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଦେଶରେ ପ୍ରଥମ ଥର ପାଇଁ ଭିଲୱାଡା ସହରରେ ଏହି ସ୍ୱତନ୍ତ୍ର କାର୍ଯ୍ୟ ଆରମ୍ଭ ହୋଇଥିଲା। ଭିଲୱାଡାରେ ଗୋଟିଏ ପରେ ଗୋଟିଏ କରୋନା ପଜିଟିଭ ଚିହ୍ନଟ ହେଉଥିଲେ । ଯାହା ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା।

ସଟଡାଉନ୍ କୁ କଡାକଡି ଭାବରେ ପାଳନ କରାଯାଇଥିଲା ଏବଂ ସମସ୍ତଙ୍କ ଘରେ ସ୍କ୍ରିନିଂ କରାଯାଇଥିଲା । ଲୋକଙ୍କୁ ସାମାଜିକ ଦୂରତା ରଖିବା ପାଇଁ ଗୁରୁତ୍ୱ ଦେଇ କୁହାଯାଇଥିଲା । ୧୦ ଦିନ ମଧ୍ୟରେ ଭିଲୱାଡାର ପ୍ରାୟ ୧୮ ଲକ୍ଷ ଲୋକଙ୍କ ଘରେ ସ୍କ୍ରିନିଂ କାର୍ଯ୍ୟ କରାଯାଇଥିଲା। ଏହା ବ୍ୟତୀତ ଜ୍ୱର ଥଣ୍ଡାରେ ପୀଡିତ ଥିବା ସମସ୍ତ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା ।

ଭିଲୱାଡାର ପ୍ରଶାସନ, ପୋଲିସ ଏବଂ ମେଡିକାଲରର ସମସ୍ତ କର୍ମୀ ସେଠାକାର ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତା ପାଳନ କରିବାର ଦ୍ୱାୟିତ୍ୱ ନେଇଥିଲେ। ଏହି ସମସ୍ତ ପଦକ୍ଷେପ ଯୋଗୁଁ, ଭିଲୱାଡାରେ କରୋନା ମାମଲା ବୃଦ୍ଧି ହୋଇନଥିଲା ଏବଂ ଏହାକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇଥିଲା । ଭିଲୱାଡାର ୨୭ ଜଣଙ୍କ ମଧ୍ୟରୁ ବର୍ତ୍ତମାନ ମାତ୍ର ୭ ଜଣ ଲୋକେ କରୋନା ପଜିଟିଭ୍ ରହିଛନ୍ତି, ୨୦ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଶା କରାଯାଇଛି ଯେ, ଏହି ୭ ଜଣ ମଧ୍ୟ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ।

ଭାରତ ସରକାର ମଧ୍ୟ ରାଜସ୍ଥାନ ସରକାରଙ୍କ ଭିଲୱାଡା ମଡେଲକୁ ବହୁତ ପ୍ରଶଂସା କରିଛନ୍ତି । ନିକଟରେ କେନ୍ଦ୍ର କ୍ୟାବିନେଟ ସଚିବ ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ କରିଥିଲେ। ଏଥିରେ କ୍ୟାବିନେଟ କୋରୋନାରୁ ସୁରକ୍ଷା ପାଇଁ ଭିଲୱାଡାରେ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିବାବେଳେ ସାରା ଦେଶରେ ଏହି ମଡେଲକୁ କାର୍ଯ୍ୟକାରି କରିବା ପାଇଁ ସୂଚନା ଦେଇଛନ୍ତି ।

Latest Posts

Don't Miss