ଥଲାଇବା ରଜନୀକାନ୍ତ ହେବେ ରାଜନେତା… ଆସନ୍ତାବର୍ଷ ରାଜନୈତିକ ଦଳର ଆନୁଷ୍ଠାନିକ ଘୋଷଣା
1 min readଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତ ରାଜନୀତିକୁ ଆସିବା ନେଇ ଅନେକ ଥର ସଂକେତ ଦେଇସାରିଛନ୍ତି । ଫ୍ୟାନ କ୍ଲବ ଜରିଆରେ ଲୋକଙ୍କ ସହ ସମ୍ପର୍କ ଯୋଡ଼ି ଚାଲିଛନ୍ତି । ପ୍ରଶଂସକଙ୍କୁ ଭେଟୁଛନ୍ତି, ହସଖୁସି ହେଉଛନ୍ତି, ହାତ ମିଳାଉଛନ୍ତି । କିନ୍ତୁ ଏଯାଏଁ ଦଳର ନାମ ଘୋଷଣା କରିନାହାନ୍ତି । ଦଳକୁ ନେଇ ସମସ୍ତଙ୍କୁ ଅନ୍ଧାରରେ ରଖିଛନ୍ତି । ତେବେ ଏହା ଉପରୁ ଆସନ୍ତାବର୍ଷ ପରଦା ଉଠିବ ବୋଲି ତାଙ୍କ ନିକଟତମ ସୂତ୍ରରୁ ପ୍ରକାଶ ।
ରଜନୀକାନ୍ତଙ୍କ ନୂଆ ରାଜନୈତିକ ଦଳ ଆସନ୍ତାବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ ଆନୁଷ୍ଠାନିକ ଭାବେ ଜନ୍ମ ନେଇପାରେ । ଫ୍ୟାନ କ୍ଲବ ରଜନୀ ମକ୍କଲ ମନ୍ଦ୍ରମ ହୋଇପାରେ ଦଳର ନାମ । ଦଳ ଘୋଷଣା ପୂର୍ବରୁ ବାଇ ଲ’ ଓ ପଲିସୀ ଉପରେ କାମ ଜାରି ରହିଛି । କାମ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି । ୨୦୨୧ ରେ ତାମିଲନାଡୁ ବିଧାନସଭା ପାଇଁ ନିର୍ବାଚନ ହେବ । ତା ପୂର୍ବରୁ ସୁପରଷ୍ଟାରଙ୍କ ଦଳ ସାମ୍ନାକୁ ଆସିବ । ନିର୍ବାଚନରେ ରଜନୀଙ୍କ ଦଳ ସବୁ ଆସନରେ ପ୍ରତିଦ୍ୱନ୍ଦିତା ନକରି ଅନ୍ୟ ଦଳ ସହ ମେଣ୍ଟ କରିପାରେ ।
ତାମିଲନାଡୁରେ ଅଭିନେତା ରାଜନେତା ହେବା କିଛି ନୂଆ କଥା ନୁହେଁ । ଏମ ଜି ରାମଚନ୍ଦ୍ରନ, ଏମ୍ କରୁଣାନିଧି ଓ ଜେ ଜୟଲଳିତା ଅଭିନୟରୁ ରାଜନୀତିକୁ ଆସି ବଡ଼ ସଫଳତା ପାଇଥିଲେ । ରାମଚନ୍ଦ୍ରନ ୩୪ ବର୍ଷ ଓ ଜୟଲଳିତା ୩୬ ବର୍ଷ ଧରି ତାମିଲ ରାଜନୀତିରେ ନିଜର ଅଖଣ୍ଡ ପ୍ରଭାବ ବିସ୍ତାର କରିଥିଲେ । ଏମ୍ କରୁଣାନିଧି ମଧ୍ୟ ୪ ଦଶନ୍ଧି ଧରି ରାଜ୍ୟ ରାଜନୀତିକୁ ପ୍ରଭାବିତ କରିଚାଲିଥିଲେ । କରୁଣାନିଧି ଓ ଜୟଲଳିତାଙ୍କ ଅବସାନ ପରେ ରାଜ୍ୟ ରାଜନୀତିରେ ସିନେମା ଜଗତର ସେମିତି କେହି ପ୍ରଭାବୀ କଳାକାର ନାହାନ୍ତି ।
ବିଜୟକାନ୍ତ ଓ କମଲହାସନ ରାଜନୀତି ମଇଦାନକୁ ଡେଇଁଥିଲେ ହେଁ ବଡ଼ ସଫଳତା ପାଇନାହାନ୍ତି । ଏହି ଶୂନ୍ୟସ୍ଥାନକୁ ପୂରଣ କରିପାରନ୍ତି ରଜନୀକାନ୍ତ । ଏଯାଏଁ ୧୬୩ଟି ଫିଲ୍ମରେ ଅଭିନୟ କରିସାରିଥିବା ରଜନୀକାନ୍ତ ଦକ୍ଷିଣର ସୁପରଷ୍ଟାର । ତାମିଲନାଡୁର ଘରେ ଘରେ ପରିଚିତ । ତାଙ୍କର ନିର୍ମଳ ଭାବମୂର୍ତ୍ତିକୁ ଲୋକମାନେ ପସନ୍ଦ କରିପାରନ୍ତି । ଦମ୍ଦାର ସିନେମା ଡାଏଲଗ ଜରିଆରେ ଭୋଟରଙ୍କ ମନକୁ ପ୍ରଭାବିତ କରିପାରିବାର ସମ୍ଭାବନା ରହିଛି । ବିଜେପି ସହ ମେଣ୍ଟ କରି ତାଙ୍କ ଦଳ କ୍ଷମତାକୁ ଆସିବାକୁ ଉଦ୍ୟମ କରିବା ନେଇ ଚର୍ଚ୍ଚା ଚାଲିଛି । ପରଦାର ସୁପର ହିରୋଙ୍କୁ ରାଜନୀତି ମଇଦାନରେ ଭୋଟର କେଉଁସ୍ଥାନ ଦେବେ ତାହା ୨୦୨୧ ନିର୍ବାଚନରେ ସ୍ପଷ୍ଟ ହେବ ।
-ବିନୋଦିନୀ ରାଉଳ ')}