ହଟହଟା ହେଲେ ସଂଗୀତା, ହଡ଼ବଡ଼େଇଲେ ରାଜନାଥ …ଲୋକସଭାରେ ହେଲା ଏମିତି ଅଡ଼ୁଆ ପରିସ୍ଥିତି

ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ ପ୍ରଥମ ଥର ପାଇଁ ସାଂସଦ । ଆମେ ଏକଥା କହୁନୁ । କହୁଛନ୍ତି ଦେଶର ପ୍ରତିରକ୍ଷା ମନ୍ତ୍ରୀ ତଥା ସଂଗୀତାଙ୍କର ଦଳ ବିଜେପିର ପୂର୍ବତନ ଅଧ୍ୟକ୍ଷ ରାଜନାଥ ସିଂ । ପରେ ପରେ ଅବଶ୍ୟ ରାଜନାଥ ନିଜ ବକ୍ତବ୍ୟ ସଂଶୋଧନ କରି କହିଥିଲେ ସେ ଦ୍ୱିତୀୟ ଥରର ସାଂସଦ । ଲୋକସଭାର ପ୍ରଶ୍ନକାଳରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଗୃହରେ ସାଂସଦ ସଂଗୀତା ଗତ ୧୦ବର୍ଷ ମଧ୍ୟରେ ଓଡ଼ିଶାରୁ କେତେଜଣ ସେନାବାହିନୀରେ ନିଯୁକ୍ତି ପାଇଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ତେବେ କୌଣସି ସଦସ୍ୟ ନିର୍ଦ୍ଧିଷ୍ଟ ଭାବେ କୌଣସି ଆଞ୍ଚଳିକ ଭିତ୍ତିରେ ପ୍ରଶ୍ନ କରିପାରିବେନି ବୋଲି ବିଧି ବ୍ୟବସ୍ଥା ରହିଥିବା ଯୋଗୁଁ ସଂଗୀତାଙ୍କୁ ଏହିଭଳି ପ୍ରଶ୍ନ ପଚାରିବାକୁ ବାରଣ କରିଥିଲେ ବାଚସ୍ପତି ଓମ୍ ବିର୍ଲା ।

ସଂଗୀତାଙ୍କ ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ ରାଜନାଥ

କହିଥିଲେ ସେ ପ୍ରଥମ ଥର ପାଇଁ ଗୃହକୁ ଆସିଥିବାରୁ ଏହିଭଳି ପ୍ରଶ୍ନ କରୁଛନ୍ତି । ତେବେ ଏହାକୁ ନେଇ ଗୃହରେ ହାସ୍ୟରୋଳ ସୃଷ୍ଟି ହେବାରୁ ରାଜନାଥ ହଡ଼ବଡ଼େଇ ଯାଇ ନିଜକୁ ସଂଶୋଧନ କରି କହିଥିଲେ ସେ ଦ୍ୱିତୀୟ ଥର ପାଇଁ ଗୃହକୁ ଆସିଛନ୍ତି । ଏତିକି ବେଳେ ସଂଗୀତା ନିଜ ଆସନରେ ବସି ଆଙ୍ଗୁଠି ଦେଖାଇ ୪ଥର ନିର୍ବାଚିତ ହେଲେଣି ବୋଲି କହିଥିଲେ । ତା’ପରେ କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରତିରକ୍ଷା ସମ୍ବନ୍ଧୀୟ ନିଜ ପ୍ରଶ୍ନ ପଚାରିଥିଲେ । ଏଠାରେ ଜଣାଇ ରଖୁଛୁ ଯେ ସଂଗୀତା ସିଂଦେଓ ବଲାଙ୍ଗୀରରୁ ଲୋକସଭାକୁ ୪ଥର ନିର୍ବାଚିତ ହୋଇଛନ୍ତି ।

Leave a Reply