ଆସୁଛି ରଜ, ଜୋରଦାର ସାଜିଛି ଆୟୋଜନ

1 min read

ନନ୍ଦିଘୋଷ ବ୍ୟୁରୋ: ରଜ ପାଇଁ ଜୋରସୋରରେ ଚାଲିଛି ଆୟୋଜନ। କେମିତି ଧୁମଧାମରେ ରଜ ପାଳନ କରାଯିବ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଗୋପପୁର ଗାଁରେ କରାଯାଉଛି ପ୍ରସ୍ତୁତି। ଆଖଡା ଘରେ ପିଲାଙ୍କୁ ଦିଆଯାଉଛି ନାଚଗୀତର ପ୍ରଶିକ୍ଷଣ। ପିଲାଠୁ ବୁଢା ସମସ୍ତେ ରଜକୁ ଅପେକ୍ଷା କରିଛନ୍ତି।

ଆଉ ଦିନ କେଇଟା ପରେ ରଜ। କିନ୍ତୁ ଏବେଠୁ ଉତ୍ସବ ମୁଖର ହେଲାଣି  ସାରା ସହର। ଗାଁ ଠୁ ସହର ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ସଜେଇ ହେଲାଣି ଆଖଡା ଘର । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଗୋପପୁର ଗାଁରେ ଆରମ୍ଭ ହୋଇଯାଇଛି ରଜ ପାଇଁ ପ୍ରସ୍ତୁତି । ଛୋଟ ଛୋଟ ପିଲାମାନଙ୍କୁ ନାଚର ପ୍ରଶିକ୍ଷଣ ଦିଆଯାଉଛି । ରଜ ତିନି ଦିନ ଧରି ଗାଁର ଛୋଟ ପିଲାଠାରୁ ଆରମ୍ଭ କରି ବଡ ପିଲାମାନେ ନାଚରେ ଭାଗ ନେଇଥାନ୍ତି । ନାଚଗୀତ ସାଙ୍ଗକୁ ପୁଚି ଖେଳ ହୁଏ, ଦୋଳି ଖେଳ ହୁଏ । ପିଠା ଖାଇ ଦୋଳି ଖେଳି ସମସ୍ତେ ରଜ ପାଳିଥାନ୍ତି । ୧୦ ରୁ ୧୨ ବର୍ଷ ହେବ ନିଆରା ଢଙ୍ଗରେ ଏଠାରେ ରଜ ପାଳନ କରାଯାଉଛି।

ଓଡିଶାର ଗଣ ପର୍ବ ରଜ, ଖାସ୍ କରି ଏହା ହେଉଛି ଝିଅମାନଙ୍କ ପର୍ବ। ଗୋପପୁର ଗାଁର ଛୋଟ ଛୋଟ କୁନି ଝିଅ ନିଜର କଳା ପ୍ରତିଭାକୁ ରଜରେ ଦେଖାଇଥାନ୍ତି l ରଜ ପର୍ବ ପାଇଁ ଏଠାରେ ସ୍ଵତନ୍ତ୍ର ଆଖଡା ଘର ରହିଛି । ଯେଉଁଠାରେ ଗାଁର ୫୦ ରୁ ୬୦ ପିଲା ପ୍ରତିଦିନ ନାଚ ଶିଖୁଛନ୍ତି । ପ୍ରତି ଦିନ ୩ ରୁ ୪ ଘଣ୍ଟା ପର୍ଯ୍ଯନ୍ତ ଅଭ୍ଯାସ କରୁଛନ୍ତି। ବିଭିନ୍ନ ପ୍ରକାର ଖେଳ ବି ପ୍ରାକଟିସ୍ କରାଯାଉଛି।