ଆଜି ପହିଲି ରଜ… ସାମାଜିକ ଦୂରତାକୁ ରକ୍ଷା କରି କୁମାରୀ ପାଳୁଛନ୍ତି ରଜ

raja celebration in odisha during corona pandemic

ଭୁବନେଶ୍ୱର: ବନସ୍ତେ ଡ଼ାକିଲା ଗଜ… ବରଷକେ ଥରେ ଆସିଛି ରଜ… ଆସିଛି ରଜଲୋ… ଘେନି ନୂଆ ସଜବାଜ । ଆଜି ହେଉଛି ପହିଲି ରଜ । ଓଡ଼ିଶାର ଗଣପର୍ବ ରଜ । ଏହି ଦିନ ସବୁ କୁମାରୀ ମାନେ ପାଦରେ ସରୁ ଅଳତା, ନୂଆ ପୋଷାକ ପିନ୍ଧି ଖିଲିପାନ ଖାଇ ଗାଁ ଦାଣ୍ଡରେ ବୁଲିଥାନ୍ତି । କିନ୍ତୁ… ଏଥର ରଜ ତ ଆସିଲା ହେଲେ ଟିକେ ଭିନ୍ନ ଢ଼ଙ୍ଗରେ ଆସିଲା। ସବୁ କୁମାରୀ ମାନେ ସଜବାଜ ହେଲେ । ଘରେ ଘରେ ପୋଡ଼ ପିଠା ହେଲା ।

ଦୋଳି ଲାଗିଲା, କୁମାରୀ ଦୋଳୀରେ ମଧ୍ୟ ଝୁଲିଲେ ହେଲେ କରୋନା କଟକଣା ସହ । ସତରେ ଜେମିତି କରୋନା ରଜର ମହକ ଛଡ଼େଇ ନେଇଛି । ସବୁ କିଛି କରୋନା କଟକଣା ସହ ହୋଇଛି  । ପହିଲି ରଜରେ ଫିକା ପଡିଛି ମଉଜ । ଗାଁ ଦାଣ୍ଡରେ କୁମାରୀ ଆଜି ବୁଲୁନି କି ଆମ୍ବ ତୋଟାରେ ଦୋଳୀ ଲାଗିନି । ସେପଟେ ଯେଉଁଠି ରାଜଧାନୀର ରାସ୍ତା ଆଜି କୁମାରୀ ମାନଙ୍କର ମନ ଖୋଲା ହସରେ ଫୁଟି ପଡ଼ୁଥାଏ ଆଜି ସବୁଥିରେ ଯେମିତି କରୋନା ରୋକ ଲଗାଇଚି ।

ରଜରେ ଧଉଳି ହାତ ମେଲାଇ ସବୁ କୁମାରୀଙ୍କୁ ସ୍ୱାଗତ କରୁଛି ହେଲେ କରୋନା ଜଗୁଆଳ ହୋଇ ଆଗରେ ଛିଡ଼ା ହୋଇଛି । କରୋନା କଟକଣା ପାଇଁ ସମସ୍ତଙ୍କୁ ଘରେ ରହି ରଜ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ସମସ୍ତେ ନିଜ ନିଜ ଘରେ ରଜ ପାଳନ କରିବାକୁ ପ୍ରସ୍ତୁତ ହୋଇଛନ୍ତି  । ଛୋଟରୁ ବଡ ସମସ୍ତେ ଆଜି ନୂଆ ଡ୍ରେସ୍‌ ପିନ୍ଧି ଲୁଡୁ ଖେଳ ସହ ପିଠା ପଣାର ମଜା ଉଠାଉଛନ୍ତି । ଘରେ ଘରେ ଦୋଳି ସାଙ୍ଗକୁ ବିଭିନ୍ନ ପିଠା ପଣାର ଆୟୋଜନ କରାଯାଇଛି । ସେପଟେ ହାତରେ ମେହେନ୍ଦି, ନେଲପଲିସ ଲଗାଇ ରଜ ଉତ୍ସବକୁ ସ୍ୱାଗତ କରୁଛନ୍ତି କୁମାରୀ । ଆଉ କେଉଁଠି ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି କରୋନା ଭୂତାଣୁ ଠାରୁ ଦୂରେଇ ରହି ମୁହଁରେ ମାସ୍କ ପିନ୍ଧି ପାଳନ କରାଯାଉଛି ରଜ ।

Leave a Reply