ଦୀର୍ଘ ୬୪ଦିନ ପରେ ଜେଲରୁ ମୁକୁଳିଲେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା

ନୂଆଦିଲ୍ଲୀ: ଦୀର୍ଘ ୬୪ଦିନ ପରେ ଜେଲରୁ ମୁକୁଳିଲେ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ବା ଶିଳ୍ପପତି ରାଜ କୁନ୍ଦ୍ରା। ମୁମ୍ବାଇ କ୍ରାଇମବ୍ରାଞ୍ଚ ଗତ ୧୯ଜୁଲାଇରେ କୁନ୍ଦ୍ରାଙ୍କୁ ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ କରିଥିଲା। ଜେଲରୁ ବାହାରି ରାଜ ମିଡିଆକୁ କୌଣସି ପ୍ରତିକ୍ରିୟା ନ ଦେଇ ସିଧା ଗାଡ଼ିରେ ବସି ଯାଇଥିଲେ। ଜାମିନରେ ବାହାରକୁ ଆସିଥିବା ରାଜଙ୍କର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ଏଥିରେ ସେ ମାସ୍କ ପିନ୍ଧିବା ସହ ମଥାରେ ଏକ ବଡ଼ ନାଲି ରଙ୍ଗର ତିଳକ ଲଗାଇଥିବା ନଜର ଆସିଛନ୍ତି। ବାହାରେ ଗଣମାଧ୍ୟମର ଭିଡ଼ ଦେଖି ରାଜ ଟିକେ ବ୍ୟସ୍ତ ହୋଇଯାଇଥିବା ଦେଖାଯାଇଥିଲା। ପରେ ଗାଡ଼ିରେ ବସି କାହା ସହ କଥା ହୋଇ ବାହାରକୁ କିଛି ଇସାରା କରୁଥିବା ନଜର ଆସିଥିଲେ।

ସ୍ଵାମୀଙ୍କ ଲାଗି ଶିଳ୍ପା ବୈଷ୍ଣୋ ଦେବୀଙ୍କ ମନ୍ଦିର ଯାଇଥିଲେ। ଜାମିନ ମିଳିବା ପରେ ସୋମବାର ଶିଳ୍ପା ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ପଜିଟିଭ ନୋଟ ଲେଖି ସେୟାର କରିଥିଲେ। ଏହାସହ ତାଙ୍କ ପୁଅ ମଧ୍ୟ ଏକ ପୋଷ୍ଟ ସେୟାର କରିଥିଲେ। ରାଜ ଗିରଫ ହେବା ପରେ ଦୁଇ ଦମ୍ପତ୍ତିଙ୍କୁ ସୋସିଆଲ ମିଡିଆରେ ବହୁ ଟ୍ରୋଲର ଶିକାର ହେବାକୁ ପଡ଼ିଥିଲା। ରାଜଙ୍କ ଉପରେ ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବା ଅଭିଯୋଗ ଲାଗିବା ପରେ ଶିଳ୍ପାଙ୍କ ଉପରେ ମଧ୍ୟ ବହୁ ଅଙ୍ଗୁଳି ଉଠିଥିଲା। ଶିଳ୍ପା ଡ୍ୟାନ୍ସ ସୋ ସୁପର ଡ୍ୟାନ୍ସରୁ ବ୍ରେକ ନେଇ ଯାଇଥିଲେ। ଶିଳ୍ପାଙ୍କୁ ମଧ୍ୟ ଏହି ଘଟଣାରେ ପୋଲିସ ପଚରାଉଚରା କରିଥିଲା। ସେ ତାଙ୍କର ବୟାନରେ ରାଜ ଓ ତାଙ୍କର କମ୍ପାନୀ ବିଷୟରେ କିଛି ଜାଣି ନଥିବା କହିଥିଲେ। ମୁଁ ନିଜ କାମରେ ବ୍ୟସ୍ତ ଥିଲି ଏବଂ ମୋ ସ୍ବାମୀଙ୍କୁ ମୁଁ କେବେ ପଚାରିନଥିଲି ସେ କ’ଣ କରୁଥିଲେ। ସେ ମଧ୍ୟ ତାଙ୍କର କାମ ବିଷୟରେ ମୋତେ କିଛି କହିନଥିଲେ। ମୋତେ ସେ ବିଷୟରେ କିଛି ଜଣା ନାହିଁ।

Leave a Reply