ସକ୍ରିୟ ହେବ ଆଉ ଏକ ପଶ୍ଚିମା ଝଡ଼, କାଲି ଉପକୂଳ ଏବଂ ପାର୍ଶ୍ବବର୍ତ୍ତୀ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: କାଲିଠୁ ଭିଜିବ ଓଡ଼ିଶା । ସକ୍ରିୟ ହେବ ଆଉ ଏକ ପଶ୍ଚିମା ଝଡ଼ । ପ୍ରଭାବରେ ସାରା ରାଜ୍ୟକୁ କାଳବୈଶାଖୀ କରିବ କଲବଲ । ଆସନ୍ତାକାଲି ଉପକୂଳ ଏବଂ ପାର୍ଶ୍ବବର୍ତ୍ତୀ ଜିଲ୍ଲାରେ ପଡ଼ିବ ପ୍ରଭାବ । ୧୬ରେ ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାର ୧୩ ଜିଲ୍ଲା ଏବଂ ୧୭ରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ ଜିଲ୍ଲାରେ ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବହିବ ଝଡ଼ ପବନ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର,କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଝଡ଼ ପବନ ହେବାର ସମ୍ଭାବନା ରହିଛି । ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ବର୍ଷା ସହ ଘଣ୍ଟା ପ୍ରତି ୪୫ ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ସତର୍କ କରିଛି ପାଣିପାଗ କେନ୍ଦ୍ର ।

ସେପଟେ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୧୫ରୁ ୨୧ ତାରିଖ ମଧ୍ୟରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ନାହିଁ । ବର୍ତ୍ତମାନ ରାଜ୍ୟରେ ବାୟୁ ପ୍ରବାହର ତାରତମ୍ୟ ଅଧିକ ରହୁଛି । ବାୟୁମଣ୍ଡଳର ଉପରି ଭାଗରେ ଗରମ ଏବଂ ଶୁଷ୍କ ପବନ ପ୍ରବାହିତ ହେଉଥିବା ବେଳେ ତଳ ଭାଗରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ହେଉଛି । ଫଳରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆକାଶ ମେଘୁଆ ରହିବା ସହ କାଳବୈଶାଖୀ ଜନିତ ବର୍ଷା ହେଉଛି । ତେବେ ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ରାଜ୍ୟରେ ପୁଣି ଉପରମୁହାଁ ହୋଇପାରେ ପାରଦ ।