ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମୁହାଁ ଗଭୀର ଅବପାତ; ଆସନ୍ତାକାଲି ପର୍ଯ୍ୟନ୍ତ ନାହିଁ ନିସ୍ତାର

ଭୁବନେଶ୍ୱର: ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମୁହାଁ ଗଭୀର ଅବପାତ। ଗତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଗଭୀର ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଗଭୀର ଅବପାତଟି ବାଂଲାଦେଶ ଓ ଗାଙ୍ଗେଟି ପଶ୍ଚିମବଙ୍ଗ ଅଂଚଳ ଉପରେ ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦେଇ ଗତି କରିବା ସହ ଆଜି ପାଇଁ ତୀବ୍ରତା ଅଧିକ ରହିବ। ଗଭୀର ଅବପାତଟି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଦୁର୍ବଳ ହେବା ସହ ୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ପରେ ପଶ୍ଚିମ ଦିଗରେ ଗତିକରି ଝାରଖଣ୍ଡ ଓ ଛତିଶଗଡ ଆଡକୁ ଗତି କରି ଉପକୂଳ ଅତିକ୍ରମ କରିବ। ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆଜି ପାଇଁ ସୁନ୍ଦରଗଡ଼,ସମ୍ବଲପୁର, ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଦେଓଗଡ଼, ଅନୁଗୁଳ, କେଉଁଝର, ସୋନପୁର, ବରଗଡ଼, ମୟୂରଭଞ୍ଜରେ ପ୍ରବଳ ବର୍ଷାର ଆଶଙ୍କା ନେଇ ଜାରି ହୋଇଛି ୟେଲୋ ଆଲର୍ଟ। ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ଗଭୀର ଅବପାତର ପ୍ରଭାବ ଥିବାରୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।