ଏଥର ଭିଜିବ ଦଶହରା, ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ
1 min readଭୁବନେଶ୍ବର: ଦଶହରାରେ ଭିଜିବ ଓଡ଼ିଶା ! ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୨୦ ତାରିଖ ବେଳକୁ ତାହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ସାରା ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଉପରେ ରହୁଛି । ତେବେ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ, କେନ୍ଦୁଝର ଏବଂ ମୟରୁଭଞ୍ଜରେ ବର୍ଷା ହୋଇପାରେ ।
କାଲି ମଧ୍ୟ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ପାଗ ମେଘୁଆ ରହିବା ସହ ବର୍ଷା ହେବ । ତେବେ ୨୦ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ବର୍ଷାର ପରିମାଣ ବଢିପାରେ । କିନ୍ତୁ ଲଘୁଚାପଟିର କେନ୍ଦ୍ରସ୍ଥଳ ଏବଂ ତାହାର ଗତି କୁଆଡେ ହେବ ସେ ନେଇ ବର୍ତ୍ତମାନ ସ୍ପଷ୍ଟ ସୂଚନା ମିଳିନାହିଁ । ଯଦି ତାହା କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଦକ୍ଷିଣ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ମୁହାଁ ହେବ ତେବେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାରେ ବର୍ଷା ହୋଇପାରେ । ଯଦି ତାହା ପଶ୍ଚିମବଙ୍ଗ –ବାଂଲାଦେଶ ମୁହାଁ ହୁଏ ତେବେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।
ତେବେ ଲଘୁଚାପଟି ଅଧିକ ଘନୀଭୁତ ହୋଇ ଓ୍ବେଲମାର୍କ ଲୋପ୍ରେସର ଏବଂ ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅବପାତ ହେଲେ ମଧ୍ୟ ଓଡ଼ିଶାରେ ତାର ପ୍ରଭାବ ଅଧିକ ରହିବ ନାହିଁ । କିନ୍ତୁ ବର୍ଷା ପ୍ରଭାବରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବା ସହ ସାମାନ୍ୟ ଶୀତ ଅନୁଭୁତ ହୋଇପାରେ ବୋଲି ଆକଳନ କରାଯାଇଛି ।