ରାଜ୍ୟରେ ବର୍ଷାରେ ଲାଗିବନି ବ୍ରେକ୍, ଆଗକୁ ଆସୁଛି ଦୁଇ ଦୁଇଟି ଲଘୁଚାପ

1 min read

ଭୁବନେଶ୍ୱର: ରାଜ୍ୟରେ ବର୍ଷାରେ ଲାଗିବନି ବ୍ରେକ୍ । ଆଗକୁ ଆସୁଛି ଦୁଇ ଦୁଇଟି ଲଘୁଚାପ । ଆସନ୍ତା କାଲି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତତ୍ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ତାହା ଲଘୁଚାପରେ ପରିଣତ ହେବ । ପ୍ରଭାବରେ ୨୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି ।

ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କନ୍ଧମାଳ ଏବଂ କଳାହାଣ୍ଡିରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଏବଂ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଆଭ୍ୟନ୍ତରୀଣ ଓଡ଼ିଶାର ସମ୍ବଲପୁର, ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗିର, ସୋନପୁର, ବୌଦ୍ଧ, ଦେବଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୨୫ ତାରିଖରେ ୨୨ଟି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

ସେପଟେ ୨୯ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ । ପ୍ରଭାବରେ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଭାରି ବର୍ଷା ନେଇ ସେ ସତର୍କ କରାଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୧୪.୨ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୯.୯ ମିମି ତୁଳନାରେ ୪୪ ପ୍ରତିଶତ ଅଧିକ ରହିଛି ।

ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ନାୱନାରେ ୧୦୫.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଉଦଳାରେ ୮୯.୪, କପ୍ତିପଦାରେ ୮୪ କଟକ ବାଙ୍କୀରେ ୬୨ ମିମି ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ସୁଦ୍ଧା ୮ ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ୩ଜିଲ୍ଲା ପୁରୀ, ବୌଦ୍ଧ, ସୋନପୁରରେ ୬୦ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି । ୫ଜିଲ୍ଲାରେ ହୋଇଛି ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଜୁଲାଇ ମାସରେ ହାରାହାରି ୩୩୯.୯ ଏମଏମ ବର୍ଷା ହୋଇଛି ।