ପୁଣି ହେବ ବର୍ଷା, ଭିଜିବ ଉପାନ୍ତରୁ ଉପକୂଳ 

ଭୁବନେଶ୍ବର: ପୁଣି ଭିଜିବ ଓଡ଼ିଶା । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଉପାନ୍ତରୁ ଉପକୂଳ ସବୁଠି ହେବ ବର୍ଷା  । ଏକ ଘନୀଭୂତ ପଶ୍ଚିମା ଝଡ ଆଜିଠୁ ଅଧିକ ଘନୀଭୁତ ହୋଇ ଉତ୍ତର ପଶ୍ଚିମ ରାଜସ୍ଥାନ ତଥା ତାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ରୂପ ନେବ । ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରୁ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।

ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଦେବଗଡ, ସମ୍ବଲପୁର, ବରଗଡ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି  ଏବଂ ନବରଙ୍ଗପୁରରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏହାସହ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୧ ତାରିଖରୁ ୧୪ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ ।

ଅନ୍ୟପଟେ ଓଡିଶାକୁ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ଣ ପବନ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ତାପମାତ୍ରା ବୃଦ୍ଧି ପାଉଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ପାଇଁ ୪ଟି ଜିଲ୍ଲା କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟକୁ ୟେଲୋ ଆଲର୍ଟ ଜାରି ହୋଇଛି । କୁହୁଡି ପାଇଁ ଗାଡିଚାଳକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave a Reply