ପ୍ରବଳ ବର୍ଷାକୁ କୁଆପଥର ମାଡ଼

ଭୁବନେଶ୍ବର: ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ୧୩ଟି ଜିଲ୍ଲାରେ ଆଜି ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ୮ ଜିଲ୍ଲାରେ କୁଆପଥର ସହିତ ପ୍ରବଳ ବର୍ଷା ସମ୍ଭାବନା । ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଯାଜପୁର, କଟକ, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ବର୍ଷା ସହିତ ପାଗ କୋହଲା ରହିବ । ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି । ଆସନ୍ତାକାଲି ୧୫ଟି ଜିଲ୍ଲାରେ ବର୍ଷା । ଏଥିପାଇଁ ଉପକୂଳ ଓ ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି । ଚାଷୀ ଫସଲକୁ ସାଇତି ରଖିବାକୁ ପରାମର୍ଶ । ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ଗତ ୨୪ ଘଣ୍ଟାରେ ବିଜେପୁରରେ ସର୍ବାଧିକ ୬୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୫୬.୪ ମିମି, ଆମ୍ବାଭନାରେ ୫୨ ମିମି, ଅତାବିରାରେ ୫୩.୪ ମିମି, ପଦ୍ମପୁରରେ ୫୭ ମିମି, ଝରାବନ୍ଧରେ ୫୧ ମିମି, ସୋନପୁରରେ ୫୩.୨ ମିମି, ହୀରାକୁଦ ଓ ବଲାଙ୍ଗୀରରେ ୩୨ ମିମି ବର୍ଷା ରେକର୍ଡ ହୋଇଛି ।

Leave a Reply