ତାତିରେ ଲାଗିଲା ବ୍ରେକ୍‌, ରାଜଧାନୀରେ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ତାତିରେ ଲାଗିଲା ବ୍ରେକ୍ । ହଠାତ ପାଗରେ ପରିବର୍ତ୍ତନ ସହ ସାରା ରାଜ୍ୟରେ ନରମିଛି ପାଗ ।  ରାଜଧାନୀ ଭୁବନେଶ୍ୱରରେ ବର୍ଷା ସହ ଘଡ଼ଘଡ଼ି ଦେଖିବାକୁ ମିଳିଛି ।    ପରିସ୍ଥିତିକୁ ଦେଖି ହିଟ ୱେଭ ୱାର୍ଣ୍ଣିଂ ହଟାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ବାଲେଶ୍ୱରକୁ ବାଦ୍‌ ଦେଲେ ସବୁ ସହରରେ ତାପମାତ୍ରାରେ ୩୫ ଡିଗ୍ରୀ ତଳକୁ ଖସିଛି । ଦିନ ସାଢେ ୧୧ଟା ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ପୁରୀରେ ୩୩.୪, ଭୁବନେଶ୍ୱରରେ ୩୩.୨, ପାରାଦୀପ ଓ ଝାରସୁଗୁଡ଼ାରେ ୩୨.୬ ଡିଗ୍ରୀ, ଚାନ୍ଦବାଲିରେ ୩୨, ସମ୍ବଲପୁରରେ ୩୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗୋପାଳପୁରରେ ୩୧, ହୀରାକୁଦରେ ୨୯.୨ ଓ କେନ୍ଦୁଝରରେ ୨୮ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେପଟେ ୨୨ ଏବଂ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ଆଶଂକା କରାଯାଇଛି । ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ସହ ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବହିବା ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ଆକାଶ ମେଘାଚ୍ଛନ୍ନ ହେବା ସହ ଜୋରରେ ପବନ ବହୁଛି । ଆଜି ରାଜଧାନୀ ଭୁବନେଶ୍ୱରରେ ଘଣ୍ଟା ପ୍ରତି ୧୫ ରୁ ୨୦ କିଲୋମିଟର ବେଗରେ ପବନ ବହୁଛି ।