ବର୍ଷା ଦେଇଗଲା ଅସରନ୍ତି ଦୁଃଖ: ୪ ଦିନରେ ଆଖି ବୁଜିଲେଣି ୬ ଚାଷୀ

ଭୁବନେଶ୍ବର: ଅଦିନିଆ ବର୍ଷା ଛାରଖାର କରିଦେଲା ସବୁ କିଛି । ବର୍ଷା ପାଣିରେ ଧୋଇଗଲା ଅମଳ ହେବାକୁ ଥିବା ଫସଲ । ଆଉ ଏହି ଦୁଃଖକୁ ସହି ନପାରି ରାଜ୍ୟରେ ୪ ଦିନ ମଧ୍ୟରେ ୬ ଜଣ ଚାଷୀ ଆଖି ବୁଜିଲେଣି । କେନ୍ଦ୍ରାପଡ଼ା ଡେରାବିଶ ବିଶକ ଗାଁର ଦୈତାରୀ ନାୟକ ଫସଲ କ୍ଷୟକ୍ଷତି ଯୋଗୁଁ ଆତ୍ମହତ୍ୟାର ବାଟ ବାଛି ନେଇଛନ୍ତି । ସେପଟେ ପାଣିରେ ଭାସୁଥିବା ଫସଲ ଦେଖି ବିଲରେ ହିଁ ଟଳି ପଡ଼ିଲେ ଖୋର୍ଦ୍ଧା ଜିଲ୍ଲା ଏକଡାଳିଆ ଗାଁର ଚାଷୀ ମେଘନାଦ ଦଳବେହେରା ଏବଂ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ମଣିତାପୁର ଗାଁର ମଣିରାମ ମହାନ୍ତି ।

ପ୍ରତିଦିନ ଚାଷୀ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ଉଜୁଡା କ୍ଷେତକୁ ଦେଖି କେଉଁଠି ଚାଷୀ ହୃଦଘାତରେ ପାଣ ହରାଉଛନ୍ତି ତ ଆଉ କେଉଁଠି ପିଷ ପିଇ ଦେଉଛନ୍ତି । ଆଜି ଏମିତି ତିନିଟି ଘଟଣା ଦେଖିବାକୁ ମିଳିଛି ।

କେନ୍ଦ୍ରାପଡ଼ା ଡେରାବିଶ ଅଞ୍ଚଳରେ ପୁଣି ଘଟିଛି ହୃଦୟକୁ ଥରାଇ ଦେବାଭଳି ଘଟଣା । ବିଶକ ଗାଁର ଦୈତାରୀ ନାୟକ ଫସଲ କ୍ଷୟକ୍ଷତି ଯୋଗୁଁ ଆତ୍ମହତ୍ୟାର ବାଟ ବାଛି ନେଇଥିବା ଅଭିଯୋଗ ହୋଇଛି । ଘର ଭିତରେ କବାଟ କିଳି ବିଷ ପିଇ ଦୈତାରୀ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ଦୈତାରୀଙ୍କ ମୃତ୍ୟୁ ପରେ ପରିବାର ଲୋକେ କ୍ଷତିପୂରଣ ଓ ଋଣ ବୋଝରୁ ମୁକ୍ତି ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

ସେପଟେ ପାଣିରେ ବୁଡିଥିବା ଫସଲ ଦେଖି ବିଲରେ ହିଁ ଟଳି ପଡିଛନ୍ତି ଖୋର୍ଦ୍ଧା ଜିଲ୍ଲା ଏକଡାଳିଆ ଗାଁର ଚାଷୀ ମେଘନାଦ ଦଳବେହେରା । ମେଘନାଦ ଅମଳ ପାଇଁ ଜମିରେ ଧାନ କାଟି ପକାଇଥିବା ବେଳେ ବର୍ଷାରୁ ବ୍ୟାପକ କ୍ଷତି ଘଟିଥିଲା । ଏହାକୁ ଦେଖି ସମ୍ଭାଳି ପାରି ନଥିଲେ ମେଘନାଦ । ବର୍ଷା ପାଣିରେ କଟାଧାନ ବୁଡ଼ି ରହିଥିବା ଦେଖି ହଠାତ ଅଚେତ ହୋଇ ପଡ଼ି ଯାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାଣପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଯାଜପୁରରେ ମଧ୍ୟ ସମାନ ଘଟଣା ଘଟିଛି । ବିଞ୍ଝାରପୁର ବ୍ଲକ ମଣିତାପୁର ଗାଁର ମଣିରାମ ମହାନ୍ତି ବିଲରେ ଉଜୁଡା ଫସଲ ଦେଇ ଆଖି ବୁଜିଛନ୍ତି । ମଣିରାମ କୃଷି ଋଣ ସହ ବିଭିନ୍ନ ଜାଗାରୁ ଧାର କରଜ କରି ଚାଷ କରିଥିଲେ । ଅଦିନିଆ ବର୍ଷାରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଉଜୁଡା କ୍ଷେତକୁ ଦେଖି ତାଙ୍କ ପ୍ରାଣବାୟୁ ଉଡିଯାଇଥିବା ପରିବାର ଲୋକ କହିଛନ୍ତି ।

ଗତ ଗୁରୁବାର ମଧ୍ୟ ଗଞ୍ଜାମ ଜିଲ୍ଲା ବଡମାଧପୁର ପଞ୍ଚାୟତ ବରଙ୍ଗ ଗାଁରେ ଘଟିଥିଲା ଚାଷୀ ଆତ୍ମହତ୍ୟା । ଏଠି ପ୍ରାଣ ହାରିଥିବା ଜଣେ ଭାଗ ଚାଷୀ ବନମାଳୀ ପେଣ୍ଠେଇ । ସରକାରଙ୍କ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ବିଳମ୍ବ ପଦକ୍ଷେପ ଏଥିପାଇଁ ଦାୟୀ ବୋଲି ଅଭିଯୋଗ ହୋଇଛି । ମଣ୍ଡି ଅବ୍ୟବସ୍ଥା ମୁଣ୍ଡବିନ୍ଧାର କାରଣ ସାଜିଥିବା ବେଳେ ଏବେ ଅଦିନିଆ ବର୍ଷା ଦେଇଯାଇଛି ଅସରନ୍ତି ଦୁଃଖ । ନିର୍ବାଚନ ବେଳେ ବିଜେପି ସରକାରଙ୍କ ମାଳ ମାଳ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି ।