ନନ୍ଦିଘୋଷ ବ୍ୟୁରୋ; ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା କାରଣରୁ ବାରିପଦା ଉପକଣ୍ଠ ଶୂନଗଡ଼ିଆ ନିକଟରେ ରେଳଧାରଣା ତଳୁ ମାଟି ଧୋଇଯାଇ ସୃଷ୍ଟି ହୋଇଥିବା ବିପର୍ଯ୍ୟୟ ପରେ ଆଜି ମଧ୍ୟ ରୁଟ୍ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଦ୍ୱିତୀୟ ଦିନରେ ମରାମତି କାର୍ଯ୍ୟ ଶେଷ ହୋଇନଥିବାରୁ ସୁରକ୍ଷା ଦୃଷ୍ଟିରୁ ରେଳ ବିଭାଗ ପକ୍ଷରୁ ଆଜି ମଧ୍ୟ ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ, ବାଙ୍ଗିରିପୋଷି-ରୂପସା ମେମୁ ଏବଂ ଭଞ୍ଜପୁର-ଶାଲିମାର ଏକ୍ସପ୍ରେସ ସମେତ ସମସ୍ତ ଟ୍ରେନ୍ ଚଳାଚଳ ବାତିଲ ରହିଥିବା ରେଳ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଟ୍ରାକ୍ ଯାଞ୍ଚ ପାଇଁ ଯନ୍ତ୍ରାଂଶ ନିୟୋଜିତ ହୋଇଛି । ଶୂନଗଡ଼ିଆଠାରେ ଯେତେ ମେଟାଲ ଓ ମାଟି ପକାଗଲେ ମଧ୍ୟ ତଳକୁ ଖସି ଯାଉଥିବାରୁ କାର୍ଯ୍ୟ ଜଟିଳ ହୋଇପଡ଼ିଛି । ଏଥିପାଇଁ ପ୍ରଥମେ ବସ୍ତି ପାର୍ଶ୍ୱ ଖାଲି କରାଯାଇ ଶାଳ ବଲ୍ଲା ମରାଯାଇ ତଳୁ ମାଟିକୁ ସ୍ଥିର ରଖିବା ଲାଗି ବାରିକେଡିଂ ବ୍ୟବସ୍ଥା କରାଯାଉଛି । ଏହି ମରାମତି ସମ୍ପୂର୍ଣ୍ଣ ନହେବା ଯାଏଁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇପାରିବ ନାହିଁ ବୋଲି ରେଳବାଇ ଅଧିକାରୀ ସୂଚନା ଦେଇଛନ୍ତି ।

