ରାଜ୍ୟରେ ଟ୍ରପଲାଇନ୍ ପ୍ରଭାବରେ ବର୍ଷା ଜାରି, ଦିନରେ ତାତି ଓ ଅପରାହ୍ନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଟ୍ରପଲାଇନ୍ ପ୍ରଭାବରେ ଜାରି ରହିଛି ବର୍ଷା । ବଙ୍ଗୋପ ସାଗର ଓ ଆରବ ସାଗରରୁ ପ୍ରବେଶ କରୁଥିବା ଜଳୀୟବାଷ୍ପ କାଳବୈଶାଖୀ ପାଇଁ ସହାୟକ ହେଉଛି । ଫଳରେ ସାରା ରାଜ୍ୟରେ ଦିନରେ ତାତି ସହିତ ଅପରାହ୍ନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ହେଉଛି । ଆସନ୍ତା ୪ ଦିନ ଯାଏ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସକାଳୁ ତାପମାତ୍ରା ବଢିବା ସହିତ ଅପରାହ୍ନରେ ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହେବ ।

ଆଜି ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାକୁ କାଳବୈଶାଖୀ ସତର୍କତା ଜାରି ହୋଇଛି  । ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା ଆଦି ଜିଲ୍ଲାରେ ଅପରାହ୍ନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୭ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ହେବ । ସେହିପରି ଆସନ୍ତାକାଲି ଉତ୍ତର, ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୨ ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ପରବର୍ତ୍ତୀ ସମୟରେ ପାଗ ବଦଳିବା ସହ ଖରା ବଢ଼ିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।