ଆସନ୍ତା ସପ୍ତାହରେ ବର୍ଷା, ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର: ପୁଣି ରାଜ୍ୟକୁ ଭିଜାଇପାରେ ବର୍ଷା । ଆସନ୍ତା ୯ ରୁ ୧୫ ତାରିଖ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ବିଭିନ୍ନ ମଡେଲରେ ଆକଳନ କରିଛନ୍ତି । ବିଶେଷ କରି ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୧୩ ଏବଂ ୧୪ ତାରିଖରେ କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ ।

୧୧ ତାରିଖରୁ ୧୪ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବଳ୍ପ ଧରଣର ବର୍ଷା ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ । ଆଜିଠାରୁ ଓ୍ବେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବ ଆରମ୍ଭ ହେବ । ଫଳରେ ଆସନ୍ତା ୭ ରୁ ୮ ତାରିଖ ମଧ୍ୟରେ ପାଗ ପରିବର୍ତ୍ତନ ହେବ । ୯ ତାରିଖରୁ ବିଭିନ୍ନ ଜିଲ୍ଲାରେ କୋହଲିଆ ପାଗ ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବା ବେଳେ, କଟକ ଜିଲ୍ଲା ପ୍ରଶାସନ ଚାଷୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ।

ସେପଟେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡି ପାଇଁ ବିଭିନ୍ନ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୭ ତାରିଖ ଦିନ ୧୦ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପରେ କୌଣସି ସିଷ୍ଟମ ନଥିବାରୁ ରାଜ୍ୟର ପାଗ ମୁଖତଃ ଶୁଖିଲା ରହିବା ସହ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ କହିଛି ।

Leave a Reply