ଦକ୍ଷିଣ ଓଡ଼ିଶାରେ ଜଳପ୍ରଳୟ, ମାଲକାନଗିରି ଓ ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା

ମାଲକାନଗିରି : ଦକ୍ଷିଣ ଓଡ଼ିଶାରେ ଜଳପ୍ରଳୟ । ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି । ଆଜି ଗଞ୍ଜାମ ଓ ମାଲକାନଗିରିରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ିକୁ ବନ୍ଦ ରଖାଯାଇଛି। ବନ୍ଯା ସ୍ଥିତିକୁ ନଜରରେ ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଲଘୁଚାପ ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି କୋରାପୁଟ ଓ ମାଲକାନଗିରି ଜିଲ୍ଲା । ଲଗାଣ ବର୍ଷାରେ ପୋଲ ଉପରେ ପାଣି ଚାଲିବା ସହ ମାଲକାନଗିରିରୁ କୋରାପୁଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନେକ ଗାଁ ବନ୍ଯାରେ ବୁଡ଼ି ରହିଥିବାବେଳେ ହଜାର ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି ।
ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଓ ସାମାଜିକ ସୁରକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କୁ ମାଲକାନଗିରି ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିଆଇଜି ଚରଣ ସିଂହ ମୀନା ମଧ୍ୟ ମାଲକାନାଗିରି ଗସ୍ତରେ ଅଛନ୍ତି। ବନ୍ୟା ସ୍ଥିତିର ମୁକାବିଲା ପାଇଁ ୭ଟି ଜିଲ୍ଲାରେ ୧୮ଟି ଓଡ୍ରାଫ ଟିମକୁ ନିୟୋଜିତ କରାଯାଇଛି। କେବଳ ମାଲକାନାଗିରିରେ ୬ଟି ଓଡ୍ରାଫ ଟିମ୍ ମୁତୟନ ହୋଇଥିବା ବେଳେ କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀରରେ ୨ଟି ଲେଖାଏଁ ଟିମ୍ ମୁତୟନ କରାଯାଇଛି। ଉପକୂଳ ୫ ଜିଲ୍ଲା ପାଇଁ ୧୨ଟି ଟିମ୍କୁ ରିଜର୍ଭ ରଖାଯାଇଛି ।
ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ୬ଟି ଏନଡିଆରଏଫ୍ ଟିମ୍ ନିୟୋଜିତ ହୋଇଥିବା ବେଳେ, ୨ଟି ଟିମ୍ ରିଜର୍ଭ ରଖାଯାଇଛି। ମାଲକାନାଗିରି ଜିଲ୍ଲାର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଅଗ୍ନିଶମ ବାହିନୀ ଟିମ୍ ମୁତୟନ ହୋଇଛନ୍ତି। ନଦୀ ବନ୍ଧ ଓ କେନାଲ ବନ୍ଧ ଉପରେ ନଜର ରଖିବାକୁ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟ କେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯିବା ସହ ବନ୍ୟା ମୁକାବିଲା ପାଇଁ ଆବଶ୍ୟକୀୟ ସରଞ୍ଜାମ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷାରେ କୋରାପୁଟ ଜିଲ୍ଲାର ୬ଟି ବ୍ଲକ ପ୍ରଭାବିତ ହୋଇଥିବା ବେଳେ, ୩୬ଟି ଗାଁ ପ୍ରଭାବିତ ହୋଇଛି ।