ମେ’ ୯ରୁ ଦିଲ୍ଲୀରୁ ରାଜଧାନୀ, ଶତାବ୍ଦୀ ଓ ଦୂରନ୍ତ ଭଳି ୨୮ ଟ୍ରେନ୍ ବାତିଲ୍
1 min readନୂଆଦିଲ୍ଲୀ: ରେଲୱେ ଉପରେ କରୋନା ପ୍ରଭାବ । ଆସନ୍ତା ୯ରୁ ଆଉ ଦିଲ୍ଲୀରୁ ଗଡ଼ିବନି ରାଜଧାନୀ ଏକ୍ସପ୍ରେସ୍ ସହ ଶତାବ୍ଦୀ ଓ ଦୂରନ୍ତ । ଦିଲ୍ଲୀରୁ ବିଭିନ୍ନ ରାଜ୍ୟକୁ ଚାଲୁଥିବା ଏଭଳି ୨୮ଟି ଟ୍ରେନକୁ କରୋନା ସଂକ୍ରମଣ ବଢ଼ୁଥିବାରୁ ରେଲୱେ ବାତିଲ୍ କରି ଦେଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ଟ୍ରେନ୍ ଚଳାଚଳ ବନ୍ଦ ରହିବ । ଜାରି ତାଲିକା ଅନୁସାରେ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ ବାତିଲ୍ ହୋଇନାହିଁ ।
କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି । ଏସବୁକୁ ଦେଖି ରେଳବାଇ ଦିଲ୍ଲୀରୁ ବିଭିନ୍ନ ରାଜ୍ୟକୁ ଚାଲୁଥିବା ୨୮ଟି ଟ୍ରେନ୍ ବାତିଲ୍ ପାଇଁ ନିଷ୍ପତ୍ତି ନେଇଛି । ଏଥିସହ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଲୱେ ନୂଆ ଏସଓପି ଜାରି କରିଛି । ଷ୍ଟେସନ ଓ ଟ୍ରେନକୁ କେବଳ ଟିକେଟ ସଂରକ୍ଷିତ ଥିବା ଯାତ୍ରୀ ପ୍ରବେଶ କରିପାରିବେ । ୱେଟିଂ ଲିଷ୍ଟରେ ଥିଲେ ଷ୍ଟେସନରେ ପ୍ରବେଶ କରିପାରିବେ ନାହିଁ ।
ଯାତ୍ରା ବେଳେ ରେଲୱେ ତରଫରୁ ଯାତ୍ରୀଙ୍କୁ ବ୍ଲାଙ୍କେଟ ଦିଆଯିବ ନାହିଁ । ରାଜଧାନୀ ଭଳି ଟ୍ରେନରେ ଟିକେଟ ସହ ଖାଦ୍ୟ ମିଳିବ ନାହିଁ । ଟ୍ରେନ କିମ୍ବା ଷ୍ଟେସନରେ ମାସ୍କ ପିନ୍ଧି ନଥିଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଯାତ୍ରା ସମୟରେ ଯାତ୍ରୀ ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ରେଲୱେ ପକ୍ଷରୁ କୁହାଯାଇଛି ।