ରେଳ ପ୍ରଳକ୍ପ ନିମନ୍ତେ ହୋଇଥିବା ଜମି ଅଧିଗ୍ରହଣ ନେଇ ଖୁସି ବ୍ୟକ୍ତ କଲେ ରେଳବାଇ ଅଧିକାରୀ

ଭୁବନେଶ୍ୱର: ମଙ୍ଗଳବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରେଲୱେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବା ନିମନ୍ତେ  ଏକ ଆଭାସୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।  ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀ, ବାଣିଜ୍ୟ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀ, ଜମି ଅଧିଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ, ଜୋନ ଅଧିକାରୀ, ରେଲୱେ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ | ଏହି ସମୀକ୍ଷା ବୈଠକରେ ରେଲୱେ ବିଭାଗର ବରିଷ୍ଠ ଅଧିକାରୀମାନେ ଗତ ଦେଢ଼ ମାସ ମଧ୍ୟରେ ରେଲୱେ ଜମି ଅଧିଗ୍ରହଣରେ ଉନ୍ନତି ପରିଲକ୍ଷିତ ହୋଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମୀକ୍ଷା ବୈଠକରେ ଖୋର୍ଦ୍ଧା ରୋଡ ବଲାଙ୍ଗୀର, ତାଳଚେର ବିମଳାଗଡ, ସମ୍ବଲପୁର ତାଳଚେର ଦୋହରୀକରଣ, ବୁଢାପଙ୍କ ସାଲେଗାଓଁ ତୃତୀୟ ଓ ଚତୁର୍ଥ ଲାଇନ, ଅନଗୁଳ ସୁକିନ୍ଦା ରେଲୱେ ପ୍ରକଳ୍ପର ଜମି ଅଧିଗ୍ରହଣର ସମୀକ୍ଷା ହୋଇଥିଲା । ଗତ ଦେଢ଼ମାସ ମଧ୍ୟରେ ଖୋର୍ଦ୍ଧା ରୋଡ ବଲାଙ୍ଗୀର ରେଲୱେ ପ୍ରକଳ୍ପରେ ନୟାଗଡ ଜିଲ୍ଲାରେ ୨ଟି ଗ୍ରାମରେ, ବୌଦ୍ଧ ଜିଲ୍ଲାରେ ୩ଟି ଗ୍ରାମରେ, ସୁବର୍ଣ୍ଣପୁର ଜିଲ୍ଲାରେ ୧୨ଟି ଗ୍ରାମରେ  ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ ହୋଇ ରେଲୱେ ଅଧିକାରୀଙ୍କୁ ଜମି ହସ୍ତାନ୍ତର କରାଯାଇଅଛି ।

ସେହିପରି ତାଳଚେର ବିମଳାଗଡ ରେଲୱେ ପ୍ରକଳ୍ପରେ ଅନଗୁଳ ଜିଲ୍ଲାରେ ୩ଟି ଗ୍ରାମରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ ହୋଇ ରେଲୱେ ଅଧିକାରୀଙ୍କୁ ଜମି ହସ୍ତାନ୍ତର କରାଯାଇଅଛି| ସମ୍ବଲପୁର ତାଳଚେର ଦୋହରୀକରଣ ରେଲୱେ ପ୍ରକଳ୍ପରେ ଅନଗୁଳ ଜିଲ୍ଲାରେ ୨୩ଟି ଗ୍ରାମରେ ଏବଂ ସମ୍ବଲପୁର ଜିଲ୍ଲାରେ ୩୯ଟି ଗ୍ରାମରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ ହୋଇ ରେଲୱେ ଅଧିକାରୀଙ୍କୁ ଜମି ହସ୍ତାନ୍ତର କରାଯାଇଅଛି   |

ବୁଢ଼ାପଙ୍କ ସାଲେଗାଓଁ ତୃତୀୟ ଓ ଚତୁର୍ଥ ଲାଇନ ରେଲୱେ ପ୍ରକଳ୍ପରେ କଟକ ଜିଲ୍ଲାରେ ୧୧ଟି ଗାଁରେ ସମସ୍ତ ପଟ୍ଟାରେ ଦାଖଲ ଖାରଜ ମାମଲା ସମ୍ପୂର୍ଣ ହୋଇ ରେଲୱେ ଅଧିକାରୀଙ୍କୁ ଜମି ହସ୍ତାନ୍ତର କରାଯାଇଅଛି | ସେହିପରି ଉକ୍ତ ପ୍ରକଳ୍ପରେ ଢେଙ୍କାନାଳ ଜିଲ୍ଲାରେ ୮ଟି ଗ୍ରାମରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ ହୋଇ ରେଲୱେ ଅଧିକାରୀଙ୍କୁ ଜମି ହସ୍ତାନ୍ତର କରାଯାଇଅଛି । ଅନଗୁଳ ସୁକିନ୍ଦା ରେଲୱେ ପ୍ରକଳ୍ପରେ ଅନଗୁଳ ଜିଲ୍ଲାରେ ୩ଟି ଗ୍ରାମରେ ଓ ଯାଜପୁର ଜିଲ୍ଲାରେ ୩ଟି ଗ୍ରାମରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ ହୋଇ ରେଲୱେ ଅଧିକାରୀଙ୍କୁ ଜମି ହସ୍ତାନ୍ତର କରାଯାଇଅଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଗତ ଦେଢ଼ମାସ ମଧ୍ୟରେ ହୋଇଥିବା କାର୍ଯ୍ୟନେଇ ସନ୍ତୋଷ ବ୍ୟକ୍ତ କରିବା ସଂଗେ ସଂଗେ ରେଲୱେ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣର କୌଣସି ବିଳମ୍ବ ନକରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଅତିରିକ୍ତ ମୁଖ୍ୟ ଶାସନ ସଚିବ ହିତାଧିକାରୀଙ୍କୁ ନିୟମ ଅନୁଯାୟୀ ପ୍ରାପ୍ୟ ବଣ୍ଟନ ପରେ ତତ୍କାଳ ଦାଖଲ ଖାରଜ ଫଇସଲା କରି ରେଲୱେ ଅଧିକାରୀଙ୍କୁ ଜମି ହସ୍ତାନ୍ତର ଉପରେ ଗୁରୁତ୍ୱାରୋପ କଲେ| ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ପରେ ରେଲୱେ ଅଧିକାରୀମାନେ ତୁରନ୍ତ କାମ ଆରମ୍ଭ ଓ ତ୍ୱରାନ୍ୱିତ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଲେ |ଦେଶ ଓ ରାଜ୍ୟରେ ରେଲୱେ ସରବରାହର ମୁଖ୍ୟ ମାଧ୍ୟମ | ତେଣୁ ରେଲୱେ ପ୍ରକଳ୍ପ  ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଓ  ଜମି ହସ୍ତାନ୍ତର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ସମାପନ କରିବାକୁ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାସିକ ସମୀକ୍ଷା ବୈଠକ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଛି  ।