ଖଲିସ୍ତାନୀ ଶକ୍ତି ଓ ଗ୍ୟାଙ୍ଗଷ୍ଟର ନେଟଓ୍ବର୍କର ହେବ ଖୁଲାସା : ଦେଶର ୬ଟି ରାଜ୍ୟର ୫୧ଟି ସ୍ଥାନରେ ରେଡ୍

ନୂଆଦିଲ୍ଲୀ :  ଆକ୍ସନ ମୋଡରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଖଲିସ୍ତାନବାଦୀ ଶକ୍ତି ଓ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଥିବା ନେଟଓ୍ବର୍କ ବିରୋଧରେ ୬ଟି ରାଜ୍ୟର ୫୧ଟି ସ୍ଥାନରେ ରେଡ୍ । ହାଓ୍ବାଲା ଅପରେଟର ଓ ଗ୍ୟାଙ୍ଗଷ୍ଟରଙ୍କୁ ଧରିବା ଲାଗି ଚାଲିଛି ଅପରେସନ । ଖଲିସ୍ତାନୀ ନେତାଙ୍କ ସହ ଗ୍ୟାଙ୍ଗଷ୍ଟରଙ୍କ ସମ୍ପର୍କର ପର୍ଦ୍ଦାଫାସ୍ କରିବା ଲାଗି ହୋଇଛି ରେଡ୍ ।

ପଞ୍ଜାବର ୩୦ଟି ସ୍ଥାନରେ ରେଡ ହୋଇଥିବାବେଳେ ରାଜସ୍ଥାନର ୧୩ଟି, ହରିୟାଣାର ୪ଟି, ଉତ୍ତରାଖଣ୍ଡର ୨ଟି, ଦିଲ୍ଲୀ ଓ ଉତ୍ତରପ୍ରଦେଶର ଗୋଟିଏ ଗୋଟିଏ ସ୍ଥାନରେ ଏହି ରେଡ ହୋଇଛି । ପୂର୍ବରୁ ଆମେରିକା, ବ୍ରିଟେନ, କାନାଡା, ଦୁବାଇ, ପାକିସ୍ତାନ ଓ ବିଶ୍ବର ଅନ୍ଯାନ୍ଯ ରାଷ୍ଟ୍ରରେ ରହୁଥିବା ୧୯ଜଣ ପଳାତକ ଖଲିସ୍ତାନୀ ନେତାଙ୍କ ତାଲିକା ଜାରି କରିଥିଲା ଏନଆଇଏ । କିଛିଦିନ ତଳେ ଖଲିସ୍ତାନୀ ନେତା ତଥା ଶିଖସ୍ ଫର୍ ଜଷ୍ଟିସ ନେତା ଗୁରପତଓ୍ବନ୍ତ ସିଂ ପନ୍ନୁର ଓ କାନାଡାରେ ନିହତ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜର ସମ୍ପତ୍ତିକୁ ବାଜ୍ୟାପ୍ତ କରିଥିଲା ଏନଆଇଏ ।

ଏନଆଇଏ ଜାରି କରିଥିବା ୧୯ଜଣ ପଳାତକ ଖଲିସ୍ତାନୀ ନେତାଙ୍କ ବିରୋଧରେ ୟୁଏପିଏ ଆଇନ ଅନୁସାରେ ପଦକ୍ଷେପ ନିଆଯିବ । ସେପଟେ ଆତଙ୍କବାଦୀ ହରବିନ୍ଦର ସିଂ ସାନ୍ଧୁ ଓ ଲଖବୀର ସିଂ ସାନ୍ଧୁଙ୍କୁ ଧରାଇଦେଲେ ୧୦ ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ଘୋଷଣା କରିଛି ଏନଆଇଏ । ଏହା ସହ ପରମିନ୍ଦର ସିଂ କାଇରା, ସତନାମ ସିଂ, ୟଦବିନ୍ଦର ସିଂଙ୍କ ନାମରେ ୫ଲକ୍ଷ ଲେଖାଏ ଟଙ୍କା ଏନଆଇଏ ଘୋଷଣା କରିଛି ।