ରାୟବରେଲି ରଖି ଓ୍ବାଇନାଡ଼ ସାଂସଦ ପଦ ଛାଡିବେ ରାହୁଲ !

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାୟବରେଲି ଓ ଓ୍ବାଇନାଡରୁ ସାଂସଦ ଭାବେ ପ୍ରାର୍ଥୀ ହୋଇଥିଲେ । ଆଉ ଉଭୟ ଆସନରେ ମଧ୍ୟ ଜିତିଛନ୍ତି । ଏବେ ତାଙ୍କୁ ଗୋଟିଏ ଆସନ ଛାଡିବାକୁ ପଡିବ । ତେବେ ରାହୁଲ କେଉଁ ଆଓନ ଛାଡିବେ ଓ କେଉଁ ଆସନ ରଖିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଛି । ଏମିତି ସ୍ଥିତିରେ ରାହୁଲ ଓ୍ବାଇନାଡ ଆସନ ଛାଡି ରାୟବରେଲି ଆସନ ନିଜ ପାଖରେ ରଖିବେ ବୋଲି ଶୁଣିବାକୁ ମିଳୁଛି ।  କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏନେଇ ଆଲୋଚନା ହୋଇଛି । ୧୭ ଜୁନ ପୂର୍ବରୁ ଏହାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ତେବେ ବୈଠକରେ ରାହୁଲ କେଉଁ ଆଓନରେ ରଖିବେ ଓ କେଉଁ ଆସନ ଛାଡିବେ ତାକୁ ନେଇ ସରଗରମ ଆଲୋଚନା ହୋଇଥିଲା ।  କେରଳର କଂଗ୍ରେସ ସାଂସଦ କେ. ସୁରେଶ କହିଥିଲେ, ରାହୁଲ ଦ୍ବିତୀୟ ଥର ଓ୍ବାଇନାଡରୁ ବିଜୟୀ ହୋଇଛନ୍ତି । ଏଠିକାର ଲୋକେ ତାଙ୍କୁ ସେମାନଙ୍କ ପ୍ରତିନିଧି ଭାବେ ଦେଖିବାକୁ ଚାହୁଁଛନ୍ତି । ସେପଟେ ଉତ୍ତର ପ୍ରଦେଶର ନେତ୍ରୀ ଆରାଧନା ମିଶ୍ରା ରାହୁଲଙ୍କୁ ରାୟବରେଲି ଆସନ ନିଜ ପାଖରେ ରଖିବାକୁ କହିଥିଲେ । ସେ କହିଥିଲେ, ଏହା ତାଙ୍କ ପରିବାରର ପାରମ୍ପରିକ ଆସନ । ଏହାସହ ୟୁପିରେ ୮୦ ଆସନ ଥିବାରୁ ରାହୁଲ ଏହି ସିଟ ରଖିଲେ, ରାଜ୍ୟରେ କଂଗ୍ରେସ ପୁଣି କ୍ଷମତାକୁ ଫେରିପାରିବ ।