ମଣିପୁର ହିଂସାକୁ ନେଇ ହୁଲୁସ୍ତୁଲ ସଂସଦ, ରାହୁଲଙ୍କ ଯୁକ୍ତିକୁ ଅପେକ୍ଷା

ନୂଆଦିଲ୍ଲୀ: ଆଜି ଦିନ ୧୧ଟାରୁ ପୁଣି ସଂସଦରେ ଆରମ୍ଭ ହେବ ଅନାସ୍ଥା ବିତର୍କ । ମଣିପୁର ହିଂସାକୁ ନେଇ କେନ୍ଦ୍ର ବିରୋଧରେ ଅନାସ୍ଥାକୁ ନେଇ ସଂସଦ ହୁଲୁସ୍ତୁଲ ହେଉଛି । ସଂସଦରେ ଚାଲିଛି ନନଷ୍ଟପ ଆଲୋଚନା । ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ବିତର୍କ । ତେବେ ଆଜି କିମ୍ବା ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବ ଉପରେ ବକ୍ତବ୍ୟ ରଖିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।

ମଣିପୁର ପ୍ରସଙ୍ଗରେ କାହିଁକି ୮୦ ଦିନ ଧରି ଚୁପ୍ ରହିଲେ ପ୍ରଧାନମନ୍ତ୍ରୀ ? ଦେଶରେ ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ କାହିଁକି ଗଲେ ନାହିଁ ? ଶାନ୍ତି ସ୍ଥାପନା ପାଇଁ କାହିଁକି ପ୍ରଧାନମନ୍ତ୍ରୀ ପ୍ରୟାସ କଲେ ନାହିଁ ବୋଲି ସଂସଦରେ ଯୁକ୍ତି ରଖିଛନ୍ତି କଂଗ୍ରେସ ସାଂସଦ । ମଣିପୁରରେ ଡବଲ ଇଞ୍ଜିନ ଫେଲ ବୋଲି ଗତକାଲି କହିଥିଲେ କଂଗ୍ରେସ ସାଂସଦ ଗୌରବ ଗୋଗେଇ । ପ୍ରଧାନମନ୍ତ୍ରୀଙ୍କ ତରଫରୁ ମଣିପୁରବାସୀଙ୍କୁ ଶାନ୍ତି ପାଇଁ ଅପିଲ ନକରାଯିବା ଚିନ୍ତାର ବିଷୟ । ହିଂସାରେ ମୃତକଙ୍କ ପରିବାରକୁ ସମବେଦନା ମଧ୍ୟ ଜଣାଇନାହାନ୍ତି ପ୍ରଧାନମନ୍ତ୍ରୀ ।

ଏଥିରୁ ସ୍ପଷ୍ଟ ଯେ ବିଜେପି ପାଇଁ ମଣିପୁରରେ ଆଜି ନିଆଁ ଜଳୁଛି । କାହିଁକି ମଣିପୁର ସିଏମଙ୍କୁ ହଟାଯାଇନାହିଁ ବୋଲି ଲୋକସଭାରେ ପ୍ରଶ୍ନ କରିଛି କଂଗ୍ରେସ ? ଭାବମୂର୍ତ୍ତି ବଞ୍ଚାଇବାକୁ କେନ୍ଦ୍ର ଚେଷ୍ଟା କରୁଛି । ଇଣ୍ଡିଆ ଟିମ୍ ମଣିପୁର ପୀଡ଼ିତାଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ମଣିପୁର ସରକାର ବଞ୍ଚାଇବାକୁ ଯାଇ ପ୍ରଧାନମନ୍ତ୍ରୀ ଚୁପ୍ ବୋଲି କଂଗ୍ରେସ ବିତର୍କ କରିଛି । ଅନ୍ୟ ଦଳର ସାଂସଦ ମାନେ ବିଜେପିକୁ ଅହଂକାରୀ ବୋଲି କହିବା ସହ ହିଂସା ରାଜନୀତିରେ ଦଳ ବିଶ୍ବାସ କରେ ବୋଲି ଯୁକ୍ତି ରଖିଛନ୍ତି ।